ସତରେ କ’ଣ ଗୋଟିଏ ଘର ଦୁଇଟି ରାଜ୍ୟରେ ରହିପାରେ? ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ପାୱାର ପରିବାର ସହ ଏମିତି ଘଟିଛି । ପାୱାର ପରିବାର ରହୁଥିବା ଘରର ୪ ରୁମ୍ ଗୋଟିଏ ରାଜ୍ୟରେ ଥିବା ବେଳେ ଆଉ ୪ଟି ରୁମ ଅନ୍ୟ ଏକ ରାଜ୍ୟରେ ରହିଛି । ଘରର କିଚେନ୍ ଗୋଟିଏ ରାଜ୍ୟରେ ଥିବା ବେଳେ ବେଡ୍ ରୁମ ଓ ହଲ ଆଉ ଗୋଟିଏ ରାଜ୍ୟରେ ଅଛି । ଏପରି ଆଶ୍ଚର୍ଯ୍ୟଜନକ ଘଟଣା, ଚନ୍ଦ୍ରପୁର ଜିଲ୍ଲା ସୀମାବର୍ତ୍ତୀ ଜିବାଟି ତହସିଲ ଅନ୍ତର୍ଗତ ମହାରାଜଗୁଡ଼ା ଗାଁରେ ଥିବା ପାୱାର ପରିବାରର ଗୋଟିଏ ଘର ଉଭୟ ମହାରାଷ୍ଟ୍ର ଓ ତେଲେଙ୍ଗାରରେ ରହିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାୱାର ପରିବାରର ୧୩ ଜଣ ସଦସ୍ୟ ମହାରାଷ୍ଟ୍ର ଓ ତେଲେଙ୍ଗାନା ସୀମାର ମଝିରେ ରହିଛନ୍ତି । ଏହି ଅଞ୍ଚଳର ଆଖପାଖ ୧୪ଟି ଗାଁକୁ ଉଭୟ ରାଜ୍ୟ ନିଜର ବୋଲି ମଧ୍ୟ ଦାବି କରୁଛନ୍ତି । କିନ୍ତୁ ପାୱାରଙ୍କ ପରିବାର ତିଆରି କରିଥିବା ଘରର ୪ଟି ରୁମ୍ ମହାରାଷ୍ଟ୍ର ସୀମାରେ ରହିଥିବା ବେଳେ ଆଉ ୪ଟି ରୁମ୍ ତେଲେଙ୍ଗାନା ସୀମାରେ ରହିଛି । ପାୱାର ପରିବାର ଉଭୟ ରାଜ୍ୟର ଜନକଲ୍ୟାଣ ଯୋଜନାର ଫାଇଦା ପାଉଛନ୍ତି । ସେମାନଙ୍କ ଘରେ ଥିବା ଗାଡ଼ିଗୁଡ଼ିକରେ ଉଭୟ ତେଲେଙ୍ଗାନା ଓ ମହାରାଷ୍ଟ୍ରର ପଞ୍ଜୀକରଣ ନମ୍ବର ରହିଛି । ସେମାନେ ଉଭୟ ରାଜ୍ୟକୁ ଟିକସ ମଧ୍ୟ ଦେଉଛନ୍ତି ।
ମହାରାଜଗୁଡ଼ା ଗାଁରେ ପାୱାର ପରିବାରର ୧୦ ରୁମ ବିଶିଷ୍ଟ ଗୋଟିଏ ଘର ରହିଛି । ୧୯୬୯ ମସିହା ସୀମା ବିବାଦର ସମାଧାନ ବେଳେ ପାୱାର ପରିବାରର ଜମି ଦୁଇ ରାଜ୍ୟ ମଧ୍ୟରେ ଭାଗ ହୋଇଯାଇଥିଲା । ଏହାର ପରିଣାମ ସ୍ୱରୂପ ଘର ମଧ୍ୟ ଭାଗ ହୋଇ ରହିଛି । ଆଇନଗତ ଦିଗ ଦେଖିଲେ ଏହାର ଆଖପାଖ ଅଞ୍ଚଳର ୧୪ଟି ଗାଁ ଏଯାଏ ମହାରାଷ୍ଟ୍ର ପାଖରେ ରହିଛି । କିନ୍ତୁ ତେଲେଙ୍ଗାନା ସରକାର ଗାଁର ଲୋକମାନଙ୍କୁ ପ୍ରଲୋଭିତ କରି ନିଜ ସହ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ବି ସୀମା ବିବାଦ ଚାଲିଛି ।
