ଭୁବନେଶ୍ୱର, ୧୩/୦୫ (ପ୍ରଦୀପ୍ତ କୁମାର ଦାସ) : ରାଜ୍ୟରେ ବିଗତ କିଛି ମାସ ମଧ୍ୟରେ ଅପରାଧିକ ଲେଖାଚିତ୍ର ତଥା ଗ୍ରାଫ୍ ଆଶାତୀତ ଭାବେ ବୃଦ୍ଧି ପାଇବା ଯୋଗୁଁ ସାଧାରଣରେ ଏକ ପ୍ରକାର ଭୟ ଓ ଉଦବେଗଜନକ ବାତାବରଣ ସୃଷ୍ଟି ହୋଇଛି।ଏହି ମର୍ମରେ ଜଦି ନିକଟରେ ରାଜ୍ୟର ବିଭିନ୍ନ ଅଂଚଳରେ ଘଟିଥିବା କିଛି ପ୍ରମୁଖ ଅପରାଧିକ ଘଟଣାବଳୀ ଉପରେ ଆଲୋକପାତ କରାଯାଏ।ତେବେ ଏହାର ବିଭିନ୍ନ ଦିଗ ଉପରେ ନଜର ପକାଇଲେ ଉକ୍ତ ଅପରାଧ ଗୁଡିକର ବିଭିନ୍ନ ରୂପ ଯେ ଏକ ପ୍ରକାରର ହିଂସ୍ର ଓ କ୍ରୁର ସଂଘଠିତ ଅପରାଧ ତାହା ଅସ୍ବୀକାର କରିହେବନାହିଁ।ଦିନକୁ ଦିନ ସମାଜରେ ଏଭଳି ଧରଣର ସଂଘଠିତ ଅପରାଧର ମାତ୍ରା ବୃଦ୍ଧିପାଉଥିବା ଲକ୍ଷ୍ୟ କରାଯାଉଛି।ଖୋଦ ରାଜ୍ୟ ରାଜଧାନୀର ଛାତି ଉପରେ ସ୍ପଷ୍ଟ ଦିବାଲୋକରେ ବାଲିଅନ୍ତା ଅଂଚଳରେ ସଂଘଠିତ ଭାବେ ପିଟିପିଟି ଅତି ନିର୍ମମ ଭାବରେ ଜଣେ ଯୁବ ପୋଲିସ କର୍ମଚାରୀଙ୍କୁ ହତ୍ୟା, ଏହାପୂର୍ବରୁ ଗଞ୍ଜାମଜିଲ୍ଲାରେ ଘଟିଥିବା ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ନୃଶଂସ ହତ୍ୟାକାଣ୍ଡ,ଢେଙ୍କାନାଳ ଭାପୁରରେ ଘଟିଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ପଥରରେ ଛେଚି ହତ୍ୟା ଉଦ୍ୟମ ଘଟଣା,ହିଞ୍ଜିଳିରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଶିଶୁ ସନ୍ତାନ ସମ୍ମୁଖରେ ଅତି ନିର୍ମମ ଭାବେ ହତ୍ୟା,କଣାସ ଅଂଚଳରେ ଜଣେ ସ୍ଥାନୀୟ ଯୁବକଙ୍କ ଉପରେ ବିଚରାସ୍ତାରେ ସର୍ବ ସାଧାରଣଙ୍କ ସମ୍ମୁଖରେ ବାଇକ ଚଢାଇ ଓ ପନିକିରେ ହାଣି ବର୍ବର ହତ୍ୟା ଉଦ୍ୟମ,ରାୟଗଡ଼ା ଅଂଚଳରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା,ସେହିପରି ନୟାଗଡର ଓଡଗାଁରେ ପଥର ମାଫିଆ ମାନଙ୍କ ସଂଘଠିତ ଆକ୍ରମଣରେ ଜଣେ ସ୍ଥାନୀୟ ଯୁବକଙ୍କୁ ନୃଶଂସ ହତ୍ୟା,ପୁଣି ସେହି ନୟାଗଡର ଗଣିଆ ଥାନା ବାଲିସାହି-ଏରୁଣ୍ଡି ପଥର ଅଂଚଳରେ ଜଣେ ସ୍ଥାନୀୟ ଯୁବକଙ୍କୁ ହତ୍ୟା କରି ନିଆଁ ଲଗାଇ ଜାଳି ଦେବା ଘଟଣା ଓ ଝାରସୁଗୁଡ଼ା ବେଲପାହାଡ଼ ଅଂଚଳରେ ସଙ୍ଘବଦ୍ଧ ଭାବେ ଜଣେ ସ୍ଥାନୀୟ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଥିବା ଘଟଣା ନେଇ ସାରା ରାଜ୍ୟରେ ଏବେ ଅଲୋଡ଼ନ ସୃଷ୍ଟି ହୋଇଛି।ଏହାବାଦ ରାଜ୍ୟରେ ଏପରି ଅନେକ ଛୋଟ ବଡ଼ ଅପରାଧିକ କାଣ୍ଡ ପ୍ରତିଦିନ ଘଟୁଥିଲେ ହେଁ ଏ ସବୁ ଘଟଣା ଲୋକଲୋଚନକୁ ଆସୁନଥିବାରୁ ତାହା ଚାପି ହୋଇ ରହିଯାଉଥିବା କୁହାଯାଉଛି।ଏପରି ହିଂସାତ୍ମକ ଅପରାଧ ଯେପରିକି ହତ୍ୟା,ଗୁଳିକାଣ୍ଡ ଏବଂ ବୋମା ବିସ୍ଫୋରଣ ଭଳି ଘଟଣା ସହରୀ ଏବଂ ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ତବ୍ଧ କରିଦେଇଛି।ଅପହରଣ, ହତ୍ୟାକାଣ୍ଡ ସାଙ୍ଗକୁ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଭଳି ମହିଳା ବିରୋଧୀ ହିଂସା ଜନିତ ସମ୍ବେଦନଶୀଳ ମାମଲାଗୁଡ଼ିକ ମଧ୍ୟ ବୃଦ୍ଧି ହେବା ଏବେ ଘୋର ଚିନ୍ତାର ବିଷୟ ହୋଇଛି।ଦିନ ଦ୍ଵିପ୍ରହରରେ ଲୁଟ୍,ରାହାଜାନି ଏବଂ ବନ୍ଦ ଘରୁ ସିନ୍ଧି ଚୋରି ଭଳି ସମ୍ପତ୍ତିଗତ ଅପରାଧ ଘଟଣା ମଧ୍ୟ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହା ଛଡ଼ା ବ୍ୟାପକ ବେଆଇନ ଖଣିଜ ଉତ୍ତୋଳନ ସହ ଏହାର ଅବୈଧ ଚାଲାଣ,ଅବାଧ ନିଶା ଚୋରା କାରବାର,ବେଆଇନ ଗୋ ଚାଲାଣ, ଏବଂ ସାଇବର ଠକେଇ ଭଳି ତସ୍କରୀ,ପ୍ରାକୃତିକ ସମ୍ପଦ ଓ ଅର୍ଥନୈତିକ ଅପରାଧ ମଧ୍ୟ ଏବେ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।ନିକଟରେ ପ୍ରକାଶିତ ଏନସିଆରବି ତଥ୍ୟର ବିଶ୍ଳେଷଣ ସାମ୍ପ୍ରତିକ ଧାରା ଅନୁସାରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁଯାୟୀ,କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ରାଜ୍ୟର ସ୍ଥିତି ଉଦ୍ବେଗଜନକ ରହିଛି। ଅପରାଧ ହାର ପ୍ରତି ଲକ୍ଷେ ଜନସଂଖ୍ୟାରେ ଏହି ମାତ୍ରା ଜାତୀୟ ହାରଠାରୁ କେତେକ କ୍ଷେତ୍ରରେ ଅଧିକ ରହୁଛି।ଦଣ୍ଡବିଧାନ ହାରକୁ ଦେଖିଲେ ଦୋଷୀ ଅପରାଧୀଙ୍କୁ ଦଣ୍ଡ ମିଳିବା ପ୍ରକ୍ରିୟାରେ ବିଳମ୍ବ ଏବଂ ନିମ୍ନ ଦଣ୍ଡବିଧାନ ହାର ଯୋଗୁଁ ଅପରାଧୀମାନେ ଭୟଶୂନ୍ୟ ହେଉଛନ୍ତି।ବେଆଇନ ଗଞ୍ଜେଇ, ବ୍ରାଉନସୁଗାର ଓ ଅନ୍ୟାନ୍ୟ ଡ୍ରଗ୍ସ ଚୋରା ଚାଲାଣରେ ରାଜ୍ୟ ଏକ ପ୍ରମୁଖ କେନ୍ଦ୍ର ପାଲଟିଥିବା ତଥ୍ୟରୁ ଜଣାପଡୁଛି।ପ୍ରଶାସନିକ ସ୍ଥାଣୁତା ଏବଂ ପୋଲିସ ନିଷ୍କ୍ରିୟତାକୁ ଏଥିପାଇଁ କେତେକାଂଶରେ ମଧ୍ୟ ଦାୟୀ କରାଯାଇଛି।ଏହି କ୍ରମରେ ସାଧାରଣରେ ଅଭିଯୋଗ ହେଉଥିବା ମୁଖ୍ୟ କାରଣଗୁଡ଼ିକ ହେଲା ଭିଆଇପି ସଂସ୍କୃତି।
ଯେଉଁଥିରେ ପୋଲିସର ଏକ ବଡ଼ ଅଂଶ ରାଜନେତା,ଉଚ୍ଚ ପଦାଧିକାରୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୁରକ୍ଷା ଓ ସେବାରେ ନିୟୋଜିତ ରହୁଥିବାରୁ,ସାଧାରଣ କ୍ଷେତ୍ର ତଥା ଥାନାଗୁଡ଼ିକରେ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି।ରାଜ୍ୟରେ ମୋଟ ପୋଲିସଙ୍କ ସଂଖ୍ୟା ପ୍ରାୟ ୭୨ ହଜାର ଥିବା ବେଳେ ପ୍ରାୟ ୧୦ ହଜାର ପଦବୀ ଖାଲି ରହିଛି।ରାଜନେତା,ଉଚ୍ଚ ସରକାରୀ ପଦାଧିକାରୀ ଓ ଅନ୍ୟାନ୍ୟ ଭଆଇପି ଙ୍କ ସେବାରେ ପ୍ରାୟ ୨ ହଜାରରୁ ଊର୍ଧ୍ୱ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିବା କୁହାଯାଉଛି।ଆଇନ ଶୃଙ୍ଖଳା ପରିଚାଳନା ଓ ଅପରାଧ ନିୟନ୍ତ୍ରଣକୁ ଦୁଇଟି ପୃଥକ ପୃଥକ ବିଭାଗରେ ପରିଣତ କରିବା ପ୍ରକ୍ରିୟାରେ ବିଳମ୍ବ ହେବା ସହ ରାଜନୈତିକ ହସ୍ତକ୍ଷେପ ଏହାର ଅନ୍ୟ ଏକ ବଡ଼ କାରଣ ବୋଲି ମଧ୍ୟ କୁହାଯାଉଛି।ଅନେକ ଅପରାଧିକ ମାମଲାର ତଦନ୍ତ ସମୟରେ ରାଜନୈତିକ ଚାପ ଯୋଗୁଁ ବିଭିନ୍ନ ସମୟରେ ପ୍ରକୃତ ଅପରାଧୀ ଖସିଯିବାର ସୁଯୋଗ ପାଉଛନ୍ତି।ଏହା ଛଡ଼ା ଆବଶ୍ୟକ ଭିତ୍ତିଭୂମିର ଅଭାବଯୋଗୁଁ ଆଧୁନିକ ଅସ୍ତ୍ରଶସ୍ତ୍ର,ପର୍ଯ୍ୟାପ୍ତ ଆଧୁନିକ ଟେକ୍ନୋଲୋଜି ଏବଂ ଫରେନ୍ସିକ ଲ୍ୟାବ୍ର ଅଭାବ ତଦନ୍ତ ପ୍ରକ୍ରିୟାକୁ ମନ୍ଥର କରୁଛି।ଏଥିରେ ସଂସ୍କାର ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ସ୍ୱରୂପ ପୋଲିସ ପ୍ରଶାସନ ଦ୍ୱାରା ନିୟମିତ ସୁବ୍ୟବସ୍ଥିତ ଭାବେ ପାଟ୍ରୋଲିଂକୁ ବୃଦ୍ଧି କରିବା ଏବଂ ରାଜନୈତିକ ପ୍ରଭାବରୁ ମୁକ୍ତ ରହି କାର୍ଯ୍ୟ କରିବା।ନ୍ୟାୟିକ ବ୍ୟବସ୍ଥାରେ ତ୍ୱରିତ ଶୁଣାଣି ପାଇଁ ଫାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ଅପରାଧୀଙ୍କୁ କଠୋର ଦଣ୍ଡ ବିଧାନ କରିବା।
ସରକାରୀ ଆଭିମୁଖ୍ୟକୁ କଠୋର କରି ମାଫିଆ ଏବଂ ସଂଗଠିତ ଅପରାଧୀଙ୍କ ବିରୁଦ୍ଧରେ’ଜିରୋ ଟୋଲେରାନ୍ସ’ନୀତି ପ୍ରଚଳନ।ଜନସାଧାରଣଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ସାଙ୍ଗକୁ କମ୍ୟୁନିଟି ପୁଲିସିଂ ବ୍ୟବସ୍ଥା ଉପରେ ପ୍ରାଥମିକତା ଦେବା ଓ ସନ୍ଦେହଜନକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ପୋଲିସକୁ ସୂଚନା ପ୍ରଦାନ କରିବା ଇତ୍ୟାଦି ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବା ଉଚିତ।ଏଥି ସହ କ୍ରିମିନାଲ ଇଣ୍ଟେଲିଜେନ୍ସ ତଥା ଅପରାଧିକ ଗୁଇନ୍ଦାଗିରି ବ୍ୟବସ୍ଥାକୁ ସୁଦୃଢ କରିବା ଆବଶ୍ୟକ।ତେବେ ଏହି କ୍ରମରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରର ତଥ୍ୟ (୨୦୨୪-୨୦୨୫) ଅନୁଯାୟୀ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବେଶ୍ ଚିନ୍ତାଜନକ ରହିଛି।ଏହି ତଥ୍ୟଗୁଡ଼ିକର ଏକ ସାରାଂଶ ଅନୁଯାୟୀ ଓଡ଼ିଶା ଅପରାଧ ରିପୋର୍ଟର ମୁଖ୍ୟ ତଥ୍ୟାବଳୀ ମୁତାବକ ହିଂସାତ୍ମକ ଅପରାଧରେ ୨୦୨୪ ମସିହାର ଏନସିଆରବି ରିପୋର୍ଟ ଅନୁଯାୟୀ,ଓଡ଼ିଶା ଦେଶର ସବୁଠାରୁ ଅଧିକ ହିଂସାତ୍ମକ ଅପରାଧ ହାର ଥିବା ରାଜ୍ୟ ଭାବେ ଉଭା ହୋଇଛି।ଏପରିକି ପ୍ରତି ଲକ୍ଷେ ଜନସଂଖ୍ୟାରେ ୧୬୧.୬ ଜଣ ବ୍ୟକ୍ତି ହିଂସାତ୍ମକ ଅପରାଧର ଶିକାର ହେଉଛନ୍ତି,ଯାହା ଦେଶରେ ସର୍ବାଧିକ।
୨୦୨୪ରେ ରାଜ୍ୟରେ ମୋଟ ୭୫,୪୦୩ଟି ହିଂସାତ୍ମକ ଅପରାଧ ମାମଲା ପଞ୍ଜିକୃତ ହୋଇଛି।୨୦୨୩ ତୁଳନାରେ ଏହି ସଂଖ୍ୟା ପ୍ରାୟ ଦୁଇଗୁଣ ବଢ଼ିଛି।ନାରୀ ବିରୋଧୀ ଅପରାଧ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି।ଏପରି ଅପରାଧର ହାରକୁ ଦେଖିଲେ ପ୍ରତି ଲକ୍ଷେ ମହିଳାରେ ୧୧୮.୩ ଟି ଅପରାଧ ଘଟୁଛି।୨୦୨୫ ରେ ମହିଳାଙ୍କ ବିରୋଧରେ ମୋଟ ଅପରାଧ ସଂଖ୍ୟା ୩୩,୦୨୧ କୁ ବୃଦ୍ଧି ପାଇଛି, ଯାହା ୨୦୨୪ ତୁଳନାରେ ୫.୬% ଅଧିକ।ଦୁଷ୍କର୍ମ ଓ ଯୌନ ନିର୍ଯାତନା ଉପରେ ନଜର ଦେଲେ ୨୦୨୫ରେ ପ୍ରାୟ ୨,୯୯୪ଟି ଦୁଷ୍କର୍ମ ଏବଂ ୭,୩୮୨ଟି ଅସଦାଚରଣ ମାମଲା ରୁଜୁ ହୋଇଛି।ଅର୍ଥାତ୍ ରାଜ୍ୟରେ ଦୈନିକ ହାରାହାରି ୮ଟି ଦୁଷ୍କର୍ମ ମାମଲା ଘଟୁଛି।ସେହିପରି ଶିଶୁଙ୍କ ବିରୋଧରେ ଅପରାଧ ଓ ନିଖୋଜ ଶିଶୁଙ୍କ ତଥ୍ୟ ଅନୁସାରେ ୨୦୨୪ରେ ରାଜ୍ୟରୁ ପ୍ରାୟ ୬,୨୨୩ ଜଣ ଶିଶୁ ନିଖୋଜ ହୋଇଛନ୍ତି,ଯେଉଁଥିରୁ ୮୭% ହେଉଛନ୍ତି କନ୍ୟା ସନ୍ତାନ। ପୋକ୍ସୋ ମାମଲାକୁ ଦେଖିଲେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ମାମଲା ମଧ୍ୟ ବୃଦ୍ଧି ପାଉଛି।ସାମଗ୍ରିକ ଅପରାଧିକ ସ୍ଥିତି କୁ ନଜର ଦେଲେ ରାଜ୍ୟରେ ମୋଟ ପଞ୍ଜିକୃତ ଅପରାଧ ସଂଖ୍ୟା ୨୦୨୪ରେ ୨,୧୪,୧୧୩ ଥିବାବେଳେ ୨୦୨୫ରେ ଏହା ୨,୨୯,୮୮୧ କୁ ବୃଦ୍ଧି ପାଇଛି (୭.୩% ବୃଦ୍ଧି)।ତେବେ ରାଜଧାନୀ ଭୁବନେଶ୍ୱରରେ ଅପରାଧ ହାର ପ୍ରାୟ ୮.୬୫% ବଢ଼ିଥିବା ଜଣାପଡ଼ିଛି।
ଯଦି ଦଣ୍ଡବିଧାନ ହାରକୁ ଦେଖାଯାଏ ତେବେ ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ଅପରାଧୀଙ୍କୁ ଦଣ୍ଡ ମିଳିବା ହାର ବହୁତ କମ୍।ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଏହା ମାତ୍ର ୬.୯% ରହିଛି,ଯାହା ଜାତୀୟ ହାରଠାରୁ ଯଥେଷ୍ଟ କମ୍ ବୋଲି କୁହାଯାଉଛି।ତେବେ ଏଭଳି ପରିସ୍ଥିତିରେ ସୁଧାର ଆଣିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଦାୟିତ୍ୱ ନିଭାଉଥିବା ଜଣେ ଅବସରପ୍ରାପ୍ତ ଅଭିଜ୍ଞ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଠାରୁ ରାଜ୍ୟବାସୀ ଅନେକ କିଛି ଆଶା କରୁଥିବା ବେଳେ ଏକ୍ଷେତ୍ରରେ ତାଙ୍କଠାରୁ ଆଶାନୁରୂପ ଫଳ ମିଳୁନଥିବା ଅଭିଯୋଗ ହୋଇଛି।ଅନ୍ୟ ପକ୍ଷରେ ରାଜ୍ୟରେ ସାଶନ ବ୍ୟବସ୍ଥାକୁ ଅଧିକ ଉତ୍ତରଦାୟୀ କରିବା ସହ ବିଶେଷକରି ପୋଲିସ ପ୍ରଶାସନକୁ ସାଧାରଣ ଜନତାଙ୍କ ଆସ୍ଥାଭାଜନ କରିବା ଦିଗରେ ବଡ଼ ଆବଶ୍ୟକତା ରହିଛି।ଯଦି ପ୍ରସାଶନ ଏକ୍ଷେତ୍ରରେ ଅଧିକ ଯତ୍ନବାନ ନହୁଏ ତେବେ ସାଧାରଣ ଜନତାଙ୍କ ସୁରକ୍ଷା ବିପନ୍ନ ହେବ ବୋଲି ରାଜ୍ୟର ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି।