ନୂଆଦିଲ୍ଲୀ, ୧୩/୧୧ : ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ଏକଜିଟ୍ ପୋଲ୍ ଆସିସାରି ଥିବା ବେଳେ ଏବେ ଏକଜାଟ ପୋଲ୍ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି । ୧୧ ତାରିଖରେ ମତଦାନ ସରିବା ପରେ ବିଭିନ୍ନ ସଂସ୍ଥାର ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ୍ ରିପୋର୍ଟ ସାମ୍ନାକୁ ଆସିଥିଲା । ବୁଥ ବାହୁଡ଼ା ମତରେ ଏନଡିଏକୁ ବହୁମତ ଦେଇଛନ୍ତି ବିଭିନ୍ନ ସଂସ୍ଥା । ଗତକାଲି ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲରେ ମଧ୍ୟ ଏନଡିଏ ପୁଣି କ୍ଷମତାକୁ ଫେରୁଥିବା କୁହାଯାଇଛି ।