ପାଟନା : ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରି ଛାତ୍ରମାନେ ବିହାର ବନ୍ଦ ଡାକରା ଦେଇ ଆନ୍ଦୋଳନ କରିଥିବାବେଳେ ସେମାନଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିହାରର ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଗିରଫ ହୋଇଥିଲେ। ତେଣୁ ତେଜପ୍ରତାପ ଓ ଅନ୍ୟ ଗିରଫ ଛାତ୍ରଙ୍କୁ ମୁକ୍ତ କରିବାପାଇଁ ତେଜସ୍ବୀ ସରକାରଙ୍କୁ ଆହ୍ବାନ କରିଛନ୍ତି। ତେଜସ୍ବୀ କହିଛନ୍ତି, କେନ୍ଦ୍ର ସରକାର ଛାତ୍ର ଓ ଯୁବପିଢ଼ିଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି। ବିହାର ସରକାର ମଧ୍ୟ ଏହା ଅନୁପାଳନ କରିବା ଉଚିତ। ମୋ ଭାଇ ତେଜପ୍ରତାପଙ୍କ ସମେତ ସମସ୍ତ ଗିରଫ ଛାତ୍ରଙ୍କୁ ମୁକ୍ତ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀଙ୍କୁ ୨୪ ଘଣ୍ଟା ସମୟ ଦେଉଛି। ୨୪ ଘଣ୍ଟା ମଧ୍ୟରେ ଯଦି ଗିରଫ ହୋଇଥିବା ଛାତ୍ରମାନେ ଓ ତେଜପ୍ରତାପ ମୁକ୍ତ ନ ହୁଅନ୍ତି ତେବେ ବିଶାଳ ଆନ୍ଦୋଳନ ହେବ।
ଉଲ୍ଲେଖଯୋଗ୍ୟ, ତେଜପ୍ରତାପ ଶନିବାର ରାତିରେ ଗିରଫ ହୋଇଥିଲେ। ସରକାରୀ ଅଧିକାରୀଙ୍କୁ ସେମାନଙ୍କ କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ମଧ୍ୟ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଶନିବାର ରାତିରେ ତାଙ୍କୁ ଜୁଡିସିଆଲ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯାଇଥିଲା। ରବିବାର ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ତେଜପ୍ରତାପଙ୍କ ସମେତ ପୁଲିସ ଅନ୍ୟ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି। ଏହି ଘଟଣା ପାଇଁ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ତେଜସ୍ବୀ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ଲିକ୍ ଓପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରମାନଙ୍କ ଉପରେ ପୁଲିସ ଅତ୍ୟଧିକ ବଳ ପ୍ରୟୋଗ କରିଛି। ପାଟନା ସମେତ ବିଭିନ୍ନ ଜିଲ୍ଲାରେ ପୁଲିସ ଲାଠିମାଡ଼ କରିଥିଲା ଏବଂ ବହୁ ସଂଖ୍ୟକ ଛାତ୍ରଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ମୁଖ୍ୟମନ୍ତ୍ରୀଙ୍କର ମାନସିକତା ଅପରାଧୀଙ୍କ ଭଳି। ସେ ପୁଲିସକୁ ଗୁଣ୍ଡାରେ ପରିଣତ କରୁଛନ୍ତି। ସରକାର ଅପରାଧୀମାନଙ୍କୁ ସୁରକ୍ଷା ଦେବା ସହ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ତେଜସ୍ବୀ ଅଭିଯୋଗ କରିଛି।
