ଭୁବନେଶ୍ୱର, ୨୨/୦୭ : ପୂର୍ବ ଭାରତର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ବିର୍ଲା ଗ୍ଲୋବାଲ୍ ୟୁନିଭରସିଟି (ବିଜିୟୁ) ପକ୍ଷରୁ ‘ବ୍ୟାଚଲର୍ ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (ବିବିଏ) ୨୦୨୬–୩୦ ବ୍ୟାଚ୍ର ନୂତନ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାରମ୍ଭ ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ‘ନୋମୁରା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଫିନ୍ଟେକ୍ର ଭାଇସ୍ ପ୍ରେସିଡେଣ୍ଟ ତଥା ଏଚ୍.ଆର୍ ମୁଖ୍ୟ ବ୍ରିଷ୍ଟି ମଣ୍ଡଳ ମୁଖ୍ୟ ଅତିଥି ଭାବେ ଏବଂ ସ୍ୱିଜରଲ୍ୟାଣ୍ଡ ବାସେଲ୍ ସ୍ଥିତ ‘ଆଇକ୍ୟୁଭିଆଇଏର ପ୍ରିନ୍ସିପାଲ୍ ଅଙ୍କୁର ଜୁତ୍ସୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହାସହ ବିର୍ଲା ଗ୍ଲୋବାଲ୍ ୟୁନିଭରସିଟିର କୁଳପତି ପ୍ରଫେସର୍ କୁଲଭୂଷଣ ବଲୁନୀ, ବିର୍ଲା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର୍ ପି. ନାୟକ ଏବଂ କୁଳସଚିବ ତନ୍ମୟ କୁମାର ପଟ୍ଟନାୟକଙ୍କ ସମେତ ଅଧ୍ୟାପକ- ଅଧ୍ୟାପିକା, ପ୍ରାକ୍ତନ ଛାତ୍ରଛାତ୍ରୀ, କର୍ମଚାରୀ ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ । ଶିକ୍ଷାରମ୍ଭ ଦିବସରେ ନିଜର ବକ୍ତବ୍ୟ ରଖି ବ୍ରିଷ୍ଟି ମଣ୍ଡଳ କହିଥିଲେ, “ଏହି କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ ଜଗତରେ ନିଜକୁ ଆଗରେ ରଖିବା ପାଇଁ ନୂତନ ଦକ୍ଷତା ହାସଲ କରିବା ସହ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ପରିସରକୁ ବୃଦ୍ଧି କରନ୍ତୁ । କେବଳ ସମସ୍ୟାକୁ ଚିହ୍ନିତ କରୁଥିବା ବ୍ୟକ୍ତି ଠାରୁ ଅଧିକ ସମସ୍ୟା ସମାଧାନ ଖୋଜୁଥିବା ବ୍ୟକ୍ତି ହେବାକୁ ଚେଷ୍ଟା କରନ୍ତୁ ।” ସେହିପରି ଅଙ୍କୁର ଜୁତ୍ସୀ କହିଥିଲେ, “ସଫଳତା କେବେ ବି ଏକ ସରଳ ରେଖା ନୁହେଁ । ଏହା ଏକ ଯାତ୍ରା ଯାହା ତିନୋଟି ମୁଖ୍ୟ ସ୍ତମ୍ଭ ଉପରେ ଆଧାରିତ : ଉଦ୍ଦେଶ୍ୟ, ନିରନ୍ତର ପ୍ରଚେଷ୍ଟା ଏବଂ ଦୃଷ୍ଟିକୋଣ ।
ଉଦ୍ଦେଶ୍ୟ ଆପଣଙ୍କୁ ଦିଗ ଦେଖାଏ, ନିରନ୍ତର ପ୍ରଚେଷ୍ଟା ଆପଣଙ୍କୁ ଆହ୍ୱାନ ମଧ୍ୟରେ ଆଗକୁ ବଢ଼ାଏ ଏବଂ ଦୃଷ୍ଟିକୋଣ ଅନ୍ୟମାନେ ବାଧା ଦେଖୁଥିବା ସ୍ଥାନରେ ସୁଯୋଗ ଦେଖିବାରେ ସାହାଯ୍ୟ କରେ ।” ନୂତନ ବ୍ୟାଚ୍କୁ ସମ୍ବୋଧିତ କରି କୁଳପତି ପ୍ରଫେସର୍ କୁଲଭୂଷଣ ବଲୁନୀ କହିଥିଲେ, “ଆପଣଙ୍କ ପ୍ରଶ୍ନର ଗୁଣବତ୍ତା ହିଁ ଆପଣଙ୍କ ଶିକ୍ଷାର ଗୁଣବତ୍ତା ନିର୍ଦ୍ଧାରଣ କରେ । ପ୍ରଶ୍ନ ପଚାରିବାକୁ କେବେ ସଙ୍କୋଚ କରନ୍ତୁ ନାହିଁ । ନିଜର ସର୍ବାଙ୍ଗୀନ ବିକାଶକୁ ସମାନ ଗୁରୁତ୍ୱ ଦିଅନ୍ତୁ । କୃତ୍ରିମ ବୁଦ୍ଧିମତ୍ତା ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲେ ବି ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୁଅନ୍ତୁ ନାହିଁ । ପ୍ରଥମେ ନିଜସ୍ୱ ବୁଦ୍ଧିମତ୍ତାର ବ୍ୟବହାର କରନ୍ତୁ, ତା ପରେ ନିଜ ଦକ୍ଷତା ବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସାହାଯ୍ୟ ନିଅନ୍ତୁ ।” ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ଡିନ୍ ପ୍ରଫେସର୍ ପି. ନାୟକ କହିଥିଲେ, “ସଫଳତା ଜଣେ ଭଲ ଶିକ୍ଷକ ନୁହେଁ । ପ୍ରକୃତ ସଫଳତା କେବଳ ବିବିଏ ଡିଗ୍ରୀ ହାସଲ କରିବାରେ ନଥାଏ ।
ଯେଉଁମାନେ ସଠିକ୍ ସମୟରେ, ସଠିକ୍ ସ୍ଥାନରେ ଥାଆନ୍ତି, ସୁଯୋଗ ସେମାନଙ୍କୁ ମିଳିଥାଏ; କିନ୍ତୁ ଶିଖିବାର ଆଗ୍ରହ, ଦକ୍ଷତା ଏବଂ ନେତୃତ୍ୱ ନେବାର ଚରିତ୍ର ହିଁ ସେହି ସଫଳତାକୁ ବଜାୟ ରଖିପାରେ ।” କୁଳସଚିବ ତନ୍ମୟ କୁମାର ପଟ୍ଟନାୟକ ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ, “ଆଜି ଆପଣମାନେ ଜୀବନର ଏକ ନୂତନ ଅଧ୍ୟାୟରେ ପାଦ ଥାପୁଛନ୍ତି । ନିଜର ଜୀବନ ଶୈଳୀରୁ ବାହାରି କ୍ୟାମ୍ପସ୍ ଜୀବନରେ ସକ୍ରିୟ ଭାବେ ଭାଗ ନିଅନ୍ତୁ ଏବଂ ସାହସିକ ପ୍ରଶ୍ନ ପଚାରିବାକୁ କେବେହେଲେ ସଙ୍କୋଚ କରନ୍ତୁ ନାହିଁ । ନିଜର ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ ଏବଂ ତାହାକୁ ହାସଲ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରନ୍ତୁ । କାର୍ଯ୍ୟକ୍ରମ ଶେଷରେ ବିଜିୟୁର ବିଏସ୍ଓଏମ୍, ବିବିଏ ପ୍ରୋଗ୍ରାମ୍ କୋଅର୍ଡିନେଟର୍ ଡକ୍ଟର ଶାଶ୍ୱତୀ ତ୍ରିପାଠୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ସହ ୨୦୨୬-୩୦ ଶିକ୍ଷାବର୍ଷ ପାଇଁ ବିବିଏ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି । ନୂତନ ଛାତ୍ରଛାତ୍ରୀମାନଙ୍କୁ ଆନୁଷ୍ଠାନିକ ନିୟମାବଳୀ, ଶିଳ୍ପାଭ୍ୟାସ ଏବଂ କ୍ୟାମ୍ପସ୍ ଜୀବନ ସହ ପରିଚିତ କରାଇବା ପାଇଁ ଜୁଲାଇ ୨୩ ରୁ ୟୁନିଭରସିଟି ପକ୍ଷରୁ ଏକ ୭ ଦିନିଆ ‘ଓରିଏେସନ୍ ଏବଂ ଇମର୍ସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
