ଭୁବନେଶ୍ଵର,୧୭/୧୨ : ରାଜ୍ୟ ବିଜେପି ସାଧାରଣ ନିର୍ବାଚନ ୨୦୨୪ ଲାଗି ପ୍ରସ୍ତୁତି ଆରମ୍ଭ କରିଛି । କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ଡି ପୁରେନ୍ଦେଶ୍ବରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ଏ ନେଇ ତର୍ଜମା ଆରମ୍ଭ କରିଛି ଦଳ । ଧାମନଗର ବିଜୟ ଓ ପଦ୍ମପୁର ପରାଜୟ ଉପରେ ଚର୍ଚ୍ଚା ହୋଇଛି । ଧାମନଗର ମଡେଲରେ ବିଜେପି ସାରା ରାଜ୍ୟରେ ନିର୍ବାଚନ ଲଢିବାକୁ ଆରମ୍ଭ କରିଛି ପ୍ରସ୍ତୁତି । ଏଥିପାଇଁ ସଙ୍ଗଠନ ମଜଭୁତ କରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି କରିଛି ଦଳ ।
ପଦାଧିକାରୀ ବୈଠକରେ ଏକାଠି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ, କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀ, ଦଳର ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ଜିଲ୍ଲା ସଭାପତି । ତୃଣମୂଳ ସ୍ତରରୁ ସଙ୍ଗଠନ କିପରି ସୁଦୃଢ ହେବ, କେଉଁ ପ୍ରସଙ୍ଗକୁ ଆଧାର କରି ଦଳ ଲୋକଙ୍କ ସହ ଯୋଡି ହେବ ଏବଂ କେଉଁ ସବୁ ପ୍ରସଙ୍ଗ ନେଇ ଦଳ ରାଜ୍ୟ ସରକାରଙ୍କୁ ଘେରିବ ସେନେଇ ଚର୍ଚ୍ଚା ହୋଇଛି । ଏହା ସହ ପଦ୍ମପୁର ଉପନିର୍ବାଚନ ପରାଜୟର କାରଣ ଖୋଜିବା ସହ ଧାମନଗର ବିଜୟ ଉପରେ ମଧ୍ୟ ତର୍ଜମା ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ କହିଛନ୍ତି ଧାମନଗର ମଡେଲକୁ ନେଇ ନିର୍ବାଚନ ଲଢିବ ବିଜେପି। ଉଭୟ ଉପନିର୍ବାଚନ ୨୦୨୪କୁ ସାମ୍ନା କରିବା ପାଇଁ ଦଳକୁ ଅନେକ ଶିକ୍ଷା ଦେଇଛି । ବିଜେପି ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ହୋଇଥିବାରୁ ଆଗାମୀ ନିର୍ବାଚନରେ ଲୋକେ ଦଳ ପାଖରୁ ଅନେକ କିଛି ଅପେକ୍ଷା ରଖିଛନ୍ତି ।
ନିର୍ବାଚନ ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ସଂଗଠନ ସହ ଯୋଡିବାକୁ ପ୍ଲାନ କରିଛି ରାଜ୍ୟ ବିଜେପି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଘେରିବାକୁ ଚାଷୀ ସମସ୍ୟା, ବେକାରୀ ସମସ୍ୟା, ପଞ୍ଚାୟତ ସ୍ତରରେ ଦୁର୍ନୀତି, ନାରୀ ନିର୍ଯାତନା, ବିଜୁଳି ଆଦିକୁ ପ୍ରସଙ୍ଗ କରି ଦଳ ଆନ୍ଦୋଳନକୁ ଓହ୍ଲାଇବ। ସେହିପରି କେନ୍ଦ୍ର ସରକାରଙ୍କ ସଫଳତା, କେନ୍ଦ୍ରରରୁ ରାଜ୍ୟକୁ ସହାୟତା ଓ ମୋଦିଙ୍କ ଲୋକପ୍ରିୟତାକୁ କିପରି ଲୋକଙ୍କ ପାଖରେ ପହଁଚି ପାରିବ ସେନେଇ ପ୍ଲାନ କରିଛି ରାଜ୍ୟ ବିଜେପି। ଏଥିପାଇଁ ଓଡ଼ିଶା ପ୍ରବାସ ଦାୟିତ୍ବରେ ଥିବା ମନ୍ତ୍ରୀମାନେ ଘନ ଘନ ଓଡ଼ିଶା ଗସ୍ତ କରିବେ । ଦଳ ମୁଖ୍ୟତଃ ତୃଣମୂଳ ସ୍ତରରେ ସଙ୍ଗଠନ ମଜବୁତ କରିବା ସହ କ୍ରମାଗତ ଭାବେ ଆନ୍ଦୋଳନ କରିବ। ନିର୍ବାଚନ ଆଗୁଆ ହେବା ନେଇ ଚର୍ଚ୍ଚା ଚାଲିଛି । ଆଉ ଏହି କ୍ରମରେ ବିଜେପି ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।
