ଅମିତ୍‌ ଶାହଙ୍କ ଭବିଷ୍ୟବାଣୀ : ୨୦୨୪ରେ ୩୦୦ରୁ ଅଧିକ ସିଟ୍‌ ସହ ପୁର୍ଣ୍ଣ ବହୁମତ

ନୂଆଦିଲ୍ଲୀ, ୧୧/୪: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଜିତିବ ବିଜେପି । ନିର୍ବାଚନ ଜିତି ପୁଣି ନରେନ୍ଦ୍ର ମୋଦୀ ହେବେ ପ୍ରଧାନମନ୍ତ୍ରୀ । ଅମିତ ଶାହ ଭବିଷ୍ୟବାଣୀ କରିଛନ୍ତି ବିଜେପି ୨୦୨୪ରେ ପୁଣି ଥରେ ଲୋକସଭା ନିର୍ବାଚନ ଜିତିବ। ଗୃହମନ୍ତ୍ରୀ ଲୋକସଭା ସିଟ୍‌କୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଏବଂ ପିଏମ ମୋଦୀ କେତେ ସିଟ୍‌ରେ ଜିତି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ତାହା ମଧ୍ୟ କହିଛନ୍ତି।

ଦୁଇଦିନିଆ ପୂର୍ବୋତ୍ତର ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଆସାମର ଡିବ୍ରୁଗଢ଼ରେ ବିଜେପି ରାଜ୍ୟ କାର୍ଯ୍ୟାଳୟର ଶିଳାନ୍ୟାସ କରିଥିଲେ। ଆଉ ଏଠାରେ ହିଁ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ଏଭଳି କହିଛନ୍ତି ଅମିତ ଶାହ। ସମ୍ବୋଧନରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ଅମିତ୍‌ ଶାହ। ସେ କହିଛନ୍ତି ‘‘ ମୁଁ କଂଗ୍ରେସକୁ କହିବାକୁ ଚାହିବି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଆସାମର ୧୪ରୁ ୧୨ ସିଟ୍‌ରେ ଜିତିବ ଏବଂ ମୋଦୀ ଜୀ ୩୦୦ରୁ ଅଧିକ ସିଟ୍‌ ସହ ପୁର୍ଣ୍ଣ ବହୁମତ ହାସଲ କରି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ।’’

ଏହା ସହ ସମ୍ବୋଧନରେ ଅମିତ ଶାହ କଂଗ୍ରେସ୍‌ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଖୁବଶୀଘ୍ର ଦେଶରୁ ଏମାନଙ୍କର ମୂଳପୋଛ ହୋଇଯିବ। ଶାହ କହିଛନ୍ତି ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା କରିଥିଲେ କିନ୍ତୁ ତିନି ପୂର୍ବୋତ୍ତର ରାଜ୍ୟରେ କଂଗ୍ରେସର ମୂଳପୋଛ ହୋଇଯାଇଛି। ହେଲେବି ସେ ବଦଳିଲେନି। ରାହୁଲ ବିଦେଶକୁ ଯାଇ ଦେଶକୁ ବଦନାମ କରୁଛନ୍ତି। ଶାହ ଆହୁରି କହିଛନ୍ତି ରାହୁଲ ଏବେ ତୁମକୁ ବଦଳିବା ଦରକାର। ନହେଲେ ସମଗ୍ର ଦେଶରୁ କଂଗ୍ରେସ ପୋଛ ହୋଇଯିବ।

SBI AD