ବଲାଙ୍ଗିରରେ ୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର, ୨୪/୦୭ : ବଲାଙ୍ଗିର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟକୁ ପର୍ଦ୍ଦାଫାଶ କରିବା ସହ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ କରିଛି ବିଭାଗ । ଏହି ମାମଲାରେ ଦୁଇଜଣ ଅଣ-ଓଡ଼ିଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏକ ୧୨ ଚକିଆ ଟ୍ରକରେ ଶୁଖିଲା ମକା ବସ୍ତା ଭର୍ତ୍ତି କରାଯାଇ ତା’ ମଧ୍ୟରେ ଗଞ୍ଜେଇ ଚାଲାଣ କରାଯାଉଥିଲା। ଟ୍ରକରେ ୧୨ କ୍ୱିଣ୍ଟାଲ ମକା ଥିବା ନେଇ ବିଲ୍ ରହିଥିବା ବେଳେ, ଅବକାରୀ ବିଭାଗ ଚଢ଼ାଉ କରି ସେଥିରୁ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନଭପ୍ରୀତ ସିଂ ଓ ସତନାମ ସିଂ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏମାନେ ପ୍ରଥମେ ବିହାରରୁ ମକା ବୋଝେଇ କରି ଫୁଲବାଣୀକୁ ଆଣିଥିଲେ। ଫୁଲବାଣୀରେ ମକା ଅନଲୋଡ୍ କରିବା ପରେ ଗାଡ଼ିଟି ପୁଣି ଫୁଲବାଣୀରୁ ବିହାରର ପାଟନା ଅଭିମୁଖେ ଯାଉଥିଲା ।

ଡ୍ରାଇଭର ନଭପ୍ରୀତ ସିଂ ପୁଲିସ ଆଗରେ ସ୍ୱୀକାର କରିଛି ଯେ, ଗାଡ଼ିରେ ଗଞ୍ଜେଇ ଥିବା କଥା ସେ ଜାଣିଥିଲା। ଏହି କାମ ପାଇଁ ତାକୁ ୩୦ ହଜାର ଟଙ୍କା ମିଳିବାର ପ୍ରତିଶୃତି ଦିଆଯାଇଥିଲା। ପଇସା ଲୋଭରେ ସେ ଏହି ବେଆଇନ କାର୍ଯ୍ୟରେ ସାମିଲ ହୋଇଥିଲା। ତେବେ ଏହି ଗଞ୍ଜେଇ କାହାକୁ ଦିଆଯାଇଥାନ୍ତା, ସେ ନେଇ ସେ ସ୍ପଷ୍ଟ ସୂଚନା ଦେଇନାହିଁ । ବଲାଙ୍ଗିର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧୀକ୍ଷକ ଅର୍ଣ୍ଣପୂର୍ଣ୍ଣା ରଥ କହିଛନ୍ତି ଯେ, ଏହି ରାକେଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ଖୋଳତାଡ଼ କରାଯିବ। ଗଞ୍ଜେଇ ଚାଲାଣକାରୀଙ୍କ ସହ ଏହାକୁ ବ୍ୟବହାର କରୁଥିବା ଏବଂ ଏହି ଅପରାଧିକ ଚେନ୍‌ରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

SBI AD