କେନାଲକୁ ଖସିଲା ଶ୍ରଦ୍ଧାଳୁଙ୍କ ବୋଲେରୋ : ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୦୩/୦୮ : ଉତ୍ତର ପ୍ରଦେଶର ପିଲିଭିତ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କେନାଲରେ ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଥିବାବେଳେ ଅନ୍ୟ ଦୁଇ ଜଣ ସେମାନଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାଟି ପିଲିଭିତ-ହରଦୋଇ ରାଜପଥରେ ଥିବା ଶାରଦା କେନାଲରେ ଘଟିଛି । ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଗୋଲା ଅଞ୍ଚଳର ପାଖାପାଖି ୨୮ ଜଣ ଶ୍ରଦ୍ଧାଳୁ ଏକ ବୋଲେରୋ ଗାଡ଼ିରେ ପୂର୍ଣ୍ଣଗିରି ମାତାଙ୍କ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ଗାଡ଼ିଟି ଦ୍ରୁତ ଗତିରେ ଥିଲା ଏବଂ ହଠାତ୍ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହା ସିଧା କେନାଲ ଭିତରକୁ ଖସି ପଡ଼ିଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କ୍ରେନ୍ ସାହାଯ୍ୟରେ ଗାଡ଼ିଟିକୁ କେନାଲରୁ ବାହାର କରାଯାଇଥିଲା । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।