ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି, ମିଳିବ ୭୮ ଦିନର ବୋନସ

ଭୁବନେଶ୍ୱର, ୧୪/୧୦ : ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ପାର୍ବଣ ଭେଟି । ୭୮ ଦିନର ବୋନସ୍ ମଞ୍ଜୁର । ୧୧ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ହେବେ ଉପକୃତ । ୨,୦୦୯ କୋଟି ଟଙ୍କାର ବ୍ୟୟବରାଦ ଉପରେ କେନ୍ଦ୍ର କ୍ୟାବିନେଟର ମୋହର । ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ଖାତାକୁ ଯିବ ବୋନସ୍ ରାଶି । ଦଶହରା ଓ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ରେଳବାଇ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଘୋଷଣା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା-ଭିତ୍ତିକ ବୋନସ୍ ମଞ୍ଜୁର କରାଯାଇଛି । ଏହି ପାର୍ବଣ ଭେଟି ବାବଦରେ କେନ୍ଦ୍ର ସରକାର ସମୁଦାୟ ୨,୦୦୯ କୋଟି ଟଙ୍କା ଖର୍ଚ୍ଚ କରିବେ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ପ୍ରାୟ ୧୧ ଲକ୍ଷରୁ ଅଧିକ କର୍ମଚାରୀ ସିଧାସଳଖ ଉପକୃତ ହେବେ ।

ଯୋଗ୍ୟ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ବାବଦରେ ସର୍ବାଧିକ ୧୭,୯୫୧ ଟଙ୍କା ପ୍ରଦାନ କରାଯିବ । ଏହି ଅର୍ଥ ଟ୍ରାକ୍ ମେଣ୍ଟେନର, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲ୍ପର, ପଏଣ୍ଟସମ୍ୟାନ୍, ମିନିଷ୍ଟେରିଆଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ଗ୍ରୁପ୍‌-C କର୍ମଚାରୀଙ୍କୁ ମିଳିବ । ଆସୋସିଏସନ୍‌ର ଯୁକ୍ତି ଅନୁଯାୟୀ, ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୨୧,୦୦୦ ଟଙ୍କା ଥିବାରୁ ବର୍ତ୍ତମାନର ସୀମାରେ ପରିବର୍ତ୍ତନ ଆବଶ୍ୟକ । ୧୮,୦୦୦ ଟଙ୍କାର ସୀମାକୁ ଆଧାର କରି ବାର୍ଷିକ ବୋନସ୍‌କୁ ଅତି କମ୍‌ରେ ୪୬,୧୮୪ ଟଙ୍କାକୁ ବୃଦ୍ଧି କରିବାକୁ ଆସୋସିଏସନ୍ ସୁପାରିସ କରିଛି ।