କ୍ୟାବିନେଟ୍‌ରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ, ନିର୍ମାଣ ହେବ ୪ ବିଜୁ ଏକ୍ସପ୍ରେସ୍ ଓ୍ୱେ

ଭୁବନେଶ୍ୱର, ୧୦/୬: ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏସବୁ ଭିତରେ ରହିଛି ୪ଟି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଓ ପ୍ରଶସ୍ତିକରଣ । ପଶ୍ଚିମ ଓଡ଼ିଶାରେ ଗମନାଗମନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆପଡ଼ାରୁ କଳାହାଣ୍ଡି ଯାଏଁ ବିଜୁ ଏକ୍ସପ୍ରେସ ୱେ ୪ ଲେନ୍ ହେବ । ୧୭୪ କିଲୋମିଟର ବିଶିଷ୍ଟ ରାସ୍ତାରେ ମୋଟ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସାଧାରଣ ପ୍ରଶାସନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି ସେହିପରି ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପାହ୍ୟାରେ ଆଉ ୨୨୦ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାସହିତ ଓଏଏସ୍ ପାହ୍ୟାରେ ଥିବା ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୧୯୦୩ରୁ ୨୧୨୩କୁ ବୃଦ୍ଧି ପାଇଛି। ଓଏଏସ୍ ପଦବୀର ବରିଷ୍ଠ ପାହ୍ୟାରେ ଏହି ମୋଟ ୨୨୦ଟି ପଦବୀ ସୃଷ୍ଟି ହୋଇଛି ଓ ଏଣ୍ଟ୍ରି ଲେଭଲ୍ ପଦବୀ ସଂଖ୍ୟା ସମାନ ରହିଛି। ସେହପରି ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଓଡ଼ିଶା ପ୍ରଶାସନିକ ସେବା କ୍ୟାଡ଼ରର ପୁନର୍ବିନ୍ୟାସ କରାଯାଇଛି। ସେହିପରି ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।