ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଭିଡ-୧୯ ମହାମାରୀ ଯୋଗୁ ଦେଶରେ ଚଳାଯାଇଥିବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ (ପିଏମଜିକେଏୱାଇ)କୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସମ୍ପ୍ରସାରଣ ନିମନ୍ତେ ପ୍ରସ୍ତାବକୁ ମନ୍ତ୍ରିମଣ୍ଡଳର ମଞ୍ଜୁରୀ ମିଳିଛି।
୨୦୨୦ ମସିହାରେ ଦେଶରେ କରୋନାଭାଇରସ ମହାମାରୀ ଲାଗି ଲକଡାଉନ କଳରେ ଏହି ଯୋଜନା ପ୍ରଥମେ ଏପ୍ରିଲରୁ ଜୁନ ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇଥିଲା। ତେବେ ପରେ ଆବଶ୍ୟକତାକୁ ନଜରରେ ରଖି ପୁଣି ଜୁଲାଇରୁ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ୫ମାସ ପାଇଁ ପରିବର୍ଦ୍ଧିତ କରାଯାଇଥିଲା। ତେବେ ୨୦୨୧ ମସିହା ପ୍ରାରମ୍ଭରେ ପୁଣି କରୋନା ପ୍ରକୋପ ଓ ଏଥିଲା ଲାଗି ଲକଡାଉନ କାରଣରୁ ମେ ଓ ଜୁନ ୨୦୨୧ ଲାଗି ଦେଶରେ ଯୋଜନା କାର୍ଯ୍ୟକାରୀ ହୋଇଥିଲା।
ତେବେ ପରେ ସରକାର ପୁଣି ଯୋଜନାକୁ ଜୁଲାଇରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିବା ବେଳେ ହୁଏତ ଯୋଜନା ଆଗକୁ ଆଉ ଅଧିକ ସମ୍ପ୍ରସାରଣ ହୋଇ ନପାରେ ବୋଲି ଆକଳନ କରାଯାଉଥିଲା। ତେବେ ବୁଧବାର ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଅଧିକ ଯୋଜନାକୁ ୪ମାସ ସମ୍ପ୍ରସାରଣ ଲାଗି ପ୍ରସ୍ତାବ ମଞ୍ଜୁର ହୋଇଛି।
ଦେଶରେ ପିଏମଜିକେଏୱାଇର ଲାଭ ଦେଶର ୮୦ କୋଟି ହିତାଧିକାରୀଙ୍କୁ ମିଳୁଛି। ଏଥିରେ ପିଏଚଏଚ୍ ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ପରିବାରର ପ୍ରତି ବ୍ୟକ୍ତି ୫ କେଜି ହିସାବରେ ଖାଦ୍ୟ ଶଶ୍ୟ ମାଗଣାରେ ଯୋଗାଇ ଦିଆଯାଉଥିବା ବେଳେ ଅନ୍ତୋଦୟ ଯୋଜନାର କାର୍ଡଧାରୀଙ୍କୁ ୩୫ କେଜି ନିୟମିତ ଖାଦ୍ୟାନ୍ନ ଯୋଗାଇ ଦିଆଯାଉଛି।