ନୂଆଦିଲ୍ଲୀ, ୦୪/୦୪ : ମହାରାଷ୍ଟ୍ରର ନାସିକ୍ରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ନାସିକ୍ର ଡିଣ୍ଡୋରି ତାଲୁକାରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ କାର କୂଅ ଭିତରକୁ ଖସି ପଡ଼ିଛି। ଏଥିରେ ଥିବା ନଅ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ମୃତକ ଦରଗୋଡେ ପରିବାରର ସଦସ୍ୟ ବୋଲି କୁହାଯାଉଛି। ପୋଲିସ ମୃତଦେହଗୁଡ଼ିକୁ ଜବତ କରି ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ କରିଛି। ଦରଗୋଡେ ପରିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। କାରଟି କୂଅ ଭିତରକୁ ଖସି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଜଣେ ସାତ ବର୍ଷର ଝିଅ ସମେତ ଛଅ ଜଣ ପିଲା ମଧ୍ୟ ପ୍ରାଣ ହରାଇଛନ୍ତି। ସୁନୀଲ ଦରଗୁଡେ, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କ ଝିଅ ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ପରିବାରର ଏତେ ସଦସ୍ୟଙ୍କ ମୃତ୍ୟୁ ଗାଁ ଏବଂ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକମାନେ ହେଲେ ରେଶମା ସୁନୀଲ ଦରଗୁଡେ (୨୭), ଆଶା ଅନିଲ ଦରଗୁଡେ (୩୨), ଅନିଲ ଦରଗୁଡେ (୧୪) ଶ୍ରେୟସ ଅନିଲ ଦରଗୁଡେ (୧୧), ରାଖୀ ସୁନୀଲ ଦରଗୁଡେ, ଶ୍ରାବଣୀ ଅନିଲ ଦରଗୁଡେ (୧୧), ସମୃଦ୍ଧି ରାଜେନ୍ଦ୍ର ଦରଗୁଡେ (୭), ମାଧୁରୀ ଅନିଲ ଦରଗୁଡେ (୧୩), ସୁନୀଲ ଦତ୍ତୁ ଦରଗୁଡେ (୩୨) । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ନାସିକ ଜିଲ୍ଲାର ଦିଣ୍ଡୋରୀ ତାଲୁକାର ଇନ୍ଦୋରର ବାସିନ୍ଦା ଥିଲେ। ସ୍ଥାନୀୟ ନାଗରିକଙ୍କ ସହାୟତାରେ ଗାଡ଼ି ଏବଂ ସମସ୍ତ ମୃତଦେହକୁ କୂଅରୁ ବାହାର କରି ଦିଣ୍ଡୋରୀର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଛି।