୨୦୨୨ ଡିସେମ୍ବରରେ ଗାଡ଼ି ବିକ୍ରି ୫% ହ୍ରାସ

ନୂଆଦିଲ୍ଲୀ,୬/୧: ୨୦୨୨ ଡିସେମ୍ବରରେ ଗାଡ଼ି ବିକ୍ରି ପ୍ରାୟ ୫% ହ୍ରାସ ପାଇଛି। ଏହି ମାସରେ ୧୬ ଲକ୍ଷ ୨୨ ହଜାର ୩୧୭ଟି ଗାଡ଼ି ବିକ୍ରି ହୋଇଛି। ବିଶେଷ କରି ଦୁଇଚକିଆ ଯାନ ବିକ୍ରି ୧୧.୧୯% ହ୍ରାସ ପାଇବାରୁ ଗାଡ଼ି ବଜାରକୁ ତାହା ପ୍ରଭାବିତ କରିଛି। ୨୦୨୧ ଡିସେମ୍ବରରେ ୧୭ ଲକ୍ଷ ୧୪ ହଜାର ୯୪୨ଟି ଗାଡ଼ି ବିକ୍ରି ହୋଇଥିଲା। ୨୦୨୦ ଡିସେମ୍ବରରେ ତା’ଠାରୁ ଅଧିକ ୨୦ ଲକ୍ଷ ୫୭ ହଜାର ୪୫୯ଟି ଗାଡ଼ି ବିକ୍ରି ହୋଇଥିଲା। ‌ଗାଡ଼ି ଡିଲରଙ୍କ ମହାସଂଘ ଫାଡା ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ୨୦୨୦ ଡିସେମ୍ବର ତୁଳନାରେ ୨୦୨୨ ଡିସେମ୍ବରର ଗାଡ଼ି ବିକ୍ରି ୨୧.୧୫% କମ୍ ରହିଛି। ଗତ ଡିସେମ୍ବରରେ ୧୧,୩୩,୧୩୮ଟି ଦୁଇଚକିଆ ବିକ୍ରି ହୋଇଥିବା ବେଳେ ୬୩,୬୫୫ ତିନି ଚକିଆ, ୨,୮୦,୦୧୬ଟି କାର୍‌, ୭୮,୫୬୩ଟି ଟ୍ରାକ୍ଟର, ୬୬,୯୪୫ଟି ବାଣିଜ୍ୟିକ ଯାନ ଏବଂ ୨୭୦୮ଟି ଅନ୍ୟ ପ୍ରକାରର ଗାଡ଼ି ବିକ୍ରି ହୋଇଛି।

୨୦୨୨ ବର୍ଷ ସାରାରେ କିନ୍ତୁ ଦେଶରେ ୨ କୋଟି ୧୧ ଲକ୍ଷ ୨୦ ହଜାର ୪୪୧ ଗାଡ଼ି ବିକ୍ରି ହୋଇଛି ଯାହା ୨୦୨୧ରେ ବିକ୍ରି ହୋଇଥିବା ୧ କୋଟି ୮୩ ଲକ୍ଷ, ୨୧ ହଜାର ୭୬୦ ଗାଡ଼ି ତୁଳନାରେ ୧୫.୨୮ ପ୍ରତିଶତ ଅଧିକ।

SBI AD