ଉତ୍ତମ ଭିତ୍ତିଭୂମି ଆଧାରରେ ରାଜ୍ୟର ଅର୍ଥନୀତିକୁ ଆଗେଇ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୬/୬: ଓଡିଶାକୁ ଉତ୍ତମ ଭିତିଭୂମି ଓ ଉତ୍ତମ ଯୋଗାଯୋଗ ସୁବିଧା ମାଧ୍ୟମରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଆଗକୁ ନେବା ପାଇଁ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ସମୟରେ କେନ୍ଦ୍ରମନ୍ତ୍ରୀ ଏହି ମତ ରଖିଛନ୍ତି ।

ସେ କହିଛନ୍ତି ଯେ, ଓଡିଶାର ସୁବିଧାଜନକ ଭୌଗଳିକ ସ୍ଥିତି, ସୁଦୀର୍ଘ ବେଳାଭୂମି, ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଉତମ ମାନବ ସମ୍ବଳ ରହିଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ଆତ୍ମନିର୍ଭର ଭାରତ ପାଇଁ ଉଦ୍ଦିଷ୍ଟ ଅର୍ଥନୈତିକ ପ୍ୟାକେଜର ସବୁଠାରୁ ଅଧିକ ଲାଭ ନେଇପାରିବ ।

ଏହି ଆଲୋଚନା ସମୟରେ ଉତମ ଭିତିଭୂମି ଓ ଯୋଗାଯୋଗ ସୁବିଧା ମାଧ୍ୟମରେ ଓଡିଶାର ଶିଳ୍ପାୟନରେ ଦ୍ରୁତ ବିକାଶ ହୋଇପାରିବା ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା । ଭିତିଭୂମି ଆଧାରିତ ଅର୍ଥନୈତିକ ପ୍ରଗତି ଓଡିଶାରେ ବ୍ୟାପକ ନିଯୁକ୍ତି ସୁଯୋଗର ସୃଷ୍ଟି କରିବାର ସମ୍ଭାବନା ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ବୈଠକରେ କେନ୍ଦ୍ର ସରକାରଙ୍କ ସହରାଚଂଳ ବିକାଶ ଓ ଗୃହ ନିର୍ମାଣ, ଟେଲି ଯୋଗାଯୋଗ, ଜାହାଜ ଚଳାଚଳ, ତୈଳ ଓ ପ୍ରାକୃତିକ ଗ୍ୟାସ, ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ, ସଡକ ପରିବହନ ଓ ଜାତୀୟ ରାଜମାର୍ଗ, ରେଳ, ନୂତନ ଓ ଅକ୍ଷୟ ଶକ୍ତି, ଶକ୍ତି ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଏହା ସହ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଶିଳ୍ପ ଉନ୍ନୟନ ଏବଂ ଆନ୍ତ ବାଣିଜ୍ୟ ସଚିବ ଗୁରୁପ୍ରସାଦ ମହାପାତ୍ର ଏବଂ ଓଡିଶା ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ ।