ଏଣିକି ବିଦେଶ ଯାତ୍ରା ହେବ ସହଜ, ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୨/୦୪ : ଉତ୍କଳ ଦିବସ ଅବସରରେ ଓଡ଼ିଶା ପାଇଁ ଆସିଛି ବଡ଼ ଖୁସିର ଖବର। ରାଜଧାନୀ ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ବରମୁଣ୍ଡାର BSABT (ବାବା ସାହେବ ଆମ୍ବେଦକର ବସ ଟର୍ମିନାଲ) ଭିତରେ ସ୍ଥାପିତ ଏହି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଭିସା ସେବା ପାଇଁ ସେମାନଙ୍କୁ କୋଲକାତା, ଦିଲ୍ଲୀ ଓ ହାଇଦ୍ରାବାଦ ଭଳି ସହରକୁ ଯିବାକୁ ପଡ଼ୁଥିଲା। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ର ସହ ଆଲୋଚନା କରିଥିଲେ ଏବଂ ଶେଷରେ ଭୁବନେଶ୍ୱରରେ ଏହି କେନ୍ଦ୍ର ସ୍ଥାପିତ ହୋଇଛି।ପ୍ରଥମ ପର୍ଯ୍ୟାୟରେ ଏଠାରୁ ୟୁକେ, ଆୟରଲ୍ୟାଣ୍ଡ, ଇଟାଲୀ, ଜାପାନ ସହିତ ୧୦ଟି ଦେଶ ପାଇଁ ଭିସା ସେବା ମିଳିବ।

ପ୍ରାୟ ୩ ହଜାର ବର୍ଗଫୁଟ୍ ଅଞ୍ଚଳରେ ଏହି ଆଧୁନିକ କେନ୍ଦ୍ର ତିଆରି ହୋଇଛି। ଆବଶ୍ୟକ ହେଲେ ଆଗାମୀ ଦିନରେ ଅଧିକ ସ୍ଥାନ ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଦେଶ ପାଇଁ ଏଠାରୁ ଭିସା ଆବେଦନ ସୁବିଧା ମିଳିବ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଆହୁରି ବ୍ୟାପକ କରାଯିବ। ଏହି କେନ୍ଦ୍ର VFS Global ଦ୍ୱାରା ପରିଚାଳିତ ହେବ। ବର୍ତ୍ତମାନ ଭାରତର ୨୦ଟି ସହରରେ ୫୬୦ରୁ ଅଧିକ VFS କେନ୍ଦ୍ର କାର୍ଯ୍ୟରତ ଅଛି। ଭୁବନେଶ୍ୱରରେ ଏହା ଆରମ୍ଭ ହେବାରୁ ଓଡ଼ିଶାବାସୀଙ୍କ ପାଇଁ ବିଦେଶ ଯାତ୍ରା ଅଧିକ ସହଜ ହେବ। ଏହି ପଦକ୍ଷେପ ରାଜ୍ୟର ପର୍ଯ୍ୟଟନ, ଶିଳ୍ପ ଓ ଆନ୍ତର୍ଜାତୀୟ ସମ୍ପର୍କକୁ ନୂଆ ଗତି ଦେବ। ସମଗ୍ର ଓଡ଼ିଶା ପାଇଁ ଏହା ଏକ ଐତିହାସିକ ଓ ଉପକାରୀ ପଦକ୍ଷେପ ଭାବେ ପରିଗଣିତ ହେଉଛି। ଏହା ରାଜ୍ୟର ବୃଦ୍ଧିଶୀଳ ଗ୍ଲୋବାଲ୍ ସଂଯୋଗର ପ୍ରମାଣ ଓ ଲୋକମାନଙ୍କୁ ସୁବିଧା ଦେବାରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ।