ଭୁବନେଶ୍ବର,୭ /୧୧: ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି। ଆଜି ଭିଡିଓ କନ୍ଫରେନସିଂ ଜରିଆରେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବୈତରଣୀ ନଦୀ ଉପରେ ନିର୍ମିତ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ହାଇଦ୍ରାବାଦସ୍ଥିତ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଦ୍ବାରା ସ୍ଥାପନ କରାଯାଇଛି। ଏଥିରୁ ରାଜ୍ୟ ଗ୍ରୀଡ ବର୍ଷକୁ ୧୦୦ ମିଲିଅନ ୟୁନିଟ ବିଜୁଳି ପାଇପାରିବ। ଏହାଦ୍ବାରା ଆନନ୍ଦପୁର ଅଞ୍ଚଳର ଲୋକମାନେ ଉନ୍ନତମାନର ବିଜୁଳି ସୁବିଧା ପାଇପାରିବେ।
କେନ୍ଦୁଝର ଜିଲ୍ଲାର ଉଭୟ ଦେଶ ଓ ରାଜ୍ୟ ଅର୍ଥନୀତିରେ ବିଶେଷ ଅବଦାନ ରହିଛି। କେନ୍ଦୁଝରରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଜିଲାର ସବୁ ରାସ୍ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ସେହିପରି ମେଗା ପିଇବା ପାଣି ପ୍ରକଳ୍ପରେ ଜିଲାର ସବୁ ଘର ଗାଁ ଓ ସହର ସବୁ ଅଞ୍ଚଳରେ ପାଇପ ପାଣି ଯୋଗାଇ ଦେବା ପାଇଁ କାମ ଚାଲିଛି। ଜିଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା। ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ ।