ଧର୍ମଗଡ,୪/୩ : ଆସନ୍ତାକାଲି ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଆସିବେ । ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀ ଅନେକ ଜନହିତକାରୀ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀ ହେଲିକପଟର ଯୋଗେ ଆସି ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲରେ ଅବତରଣ କରିବେ । ସେଠାରେ ଏକ ସାଧାରଣ ସଭାକୁ ଉଦବୋଧନ କରିବେ । ସେଠାରୁ ସ୍ବତନ୍ତ୍ର ବସ୍ ଯୋଗେ ବିଜୁ ଏକ୍ସପ୍ରେସ ୱେରେ ଯାତ୍ରା କରିବେ । ବିଜୁ ଏକ୍ସପ୍ରେସ୍ ୱେରେ ଧର୍ମଗଡ ଦେଇ କୋକସରା ବ୍ଲକର ଆମପାଣି ପର୍ଯ୍ୟନ୍ତ ଏକ ରୋଡ଼ ଶୋ କରିବେ ।
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମର୍ଦ୍ଧନା ଦେବା ପାଇଁ ବୃନ୍ଦାବହାଲରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେର ଦୁଇ ପାର୍ଶ୍ୱରେ ଲୋକମାନଙ୍କ ପାଇଁ ଟେଣ୍ଟର ବ୍ୟବସ୍ଥା କରାଯାଇଛି । ୧୮୨ କୋଟି ଟଙ୍କାରେ ନିର୍ମିତ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ଧର୍ମଗଡ଼ଠାରେ ୭ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଏବଂ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଧର୍ମଗଡ଼ ବସଷ୍ଟାଣ୍ଡକୁ ମଧ୍ୟ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ।
