ଭୁବନେଶ୍ୱର,୭ /୧୧ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଗାମୀ ୯ ତାରିଖରୁ ଏଆଇସିସି ନିର୍ଦ୍ଦେଶକ୍ରମେ ପ୍ରଦେଶ କଂଗ୍ରେସ ପକ୍ଷରୁ ‘ଚାଷ ବଞ୍ଚାଅ’ ରାଲି କରାଯିବ। ଏହି ରାଲିରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲାକୁମାର ଯୋଗଦେବେ। ଆଜି ଏକ ପ୍ରେସ୍ ବିବୃତି ଜାରି କରି ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହିତ ୧୩ ତାରିଖରେ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଉପରେ ଆଲୋଚନାଚକ୍ର ଓ ୧୪ ତାରିଖରେ ସାମାଜିକ ଗଣମାଧ୍ୟମରେ ‘ସ୍ପିକ୍ ଅପ୍ ଫର୍ ପିଏସ୍ୟୁ’ ଶୀର୍ଷକ ଜନସଚେତନତା କାର୍ଯ୍ୟକ୍ରମ କରିବାକୁ ପିସିସି ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି।
ଗତ ଅକ୍ଟୋବର ପ୍ରଥମ ସପ୍ତାହରେ ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧି ପଞ୍ଜାବ ଓ ହରିୟାନାରେ ଐତିହାସିକ ‘କ୍ଷେତି ବଞ୍ଚାଅ ଯାତ୍ରା’ ଆରମ୍ଭ କରିଥିଲେ। ଏହି ପ୍ରକ୍ରିୟା ଚାଲୁ ରଖିବା ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ୩ ଦିନ ଧରି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି। ୯ ତାରିଖ ଦିନ ସକାଳ ୯ଟାରେ ଭୁବନେଶ୍ବର କଂଗ୍ରେସ ଭବନ କାର୍ଯ୍ୟାଳୟରୁ ଏକ ଟ୍ରାକ୍ଟର ରାଲି ବାହାରି କଟକ ଜିଲ୍ଲା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ ଧାକୁଲେଇ ମନ୍ଦିର, ୪୨ ମୌଜା ଓ ପ୍ରେସ୍ଛକ ଦେଇ ଶକ୍ତିନଗର ସ୍ଥିତ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ପହଞ୍ଚିବ। ଏହି ରାଲିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଶ୍ରୀ ଚେଲ୍ଲାକୁମାର, ପିସିସି ସଭାପତି ଶ୍ରୀ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏହିସବୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି, ସାଂସଦ ଓ ବିଧାୟକ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତ୍ତା, ପୂର୍ବତନ ସାଂସଦ ଓ ବିଧାୟକ, ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହଯୋଗ କାମନା କରିଛନ୍ତି।