ପଟିଆଲା,୧/୪: କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁ ଆଜି ଜେଲରୁ ମୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ ଗତବର୍ଷ ମେ ୧୯ ତାରିଖରେ ରୋଡ ରେଜ କେସର ଶୁଣାଣି କରି ସିଦ୍ଧୁଙ୍କୁ ୧ ବର୍ଷ ଜେଲଦଣ୍ଡାଦେଶ କରିଥିଲେ। ସିଦ୍ଧୁ ବିନା ଛୁଟିରେ ଜେଲ ଦଣ୍ଡ କଟାଇଥିବା ବେଳେ ତାଙ୍କୁ ଧାର୍ଯ୍ୟ ସମୟର ୪୫ ଦିନ ପୂର୍ବରୁ ଜେଲରୁ ମୁକ୍ତି ମିଳିଯାଇଛି। ତେବେ ଗତ ଜାନୁୟାରୀ ୨୬ରେ ସିଦ୍ଧୁ ମୁକ୍ତ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ସାଧାରଣ ତନ୍ତ୍ର ଦିବସ ଅବସରରେ ସରକାରଙ୍କ ବନ୍ଦୀ ମୁକ୍ତି ଯୋଜନାରେ ତାଙ୍କର ମୁକ୍ତିର ଆଶା କରାଯାଉଥିଲା। ତେବେ ଏ ସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟ୍ ବୈଠକରେ ସ୍ଥାନ ପାଇ ପାରିନଥିଲା।
ସିଦ୍ଧୁ ଜେଲରୁ ବାହାରିବା ପରେ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ତେବେ ସିଦ୍ଧୁ ଜେଲରୁ ବାହାରିବା ପୂର୍ବରୁ ଅନେକ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ଜେଲ ବାହାରେ ପହଞ୍ଚିଥିଲେ। ସିଦ୍ଧୁଙ୍କୁ ଢୋଲ ଓ ନାଗରା ବଜାଇ ଜେଲ ବାହାରେ ଭବ୍ୟ ସ୍ୱାଗତ କରାଯାଇଛି। ଜେଲରୁ ବାହାରିବା ମାତ୍ରେ ସିଦ୍ଧୁ ସରକାରଙ୍କ ବିରୋଧରେ ବୟାନ ଦେଇଛନ୍ତି। ଦେଶରେ ଗଣତନ୍ତ୍ର ନାମରେ କିଛି ନଥିବା ସେ କହିଛନ୍ତି। ପଞ୍ଜାବରେ ଅଳ୍ପସଂଖ୍ୟକ ବର୍ଗଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ଲାଗି ଷଡ଼ଯନ୍ତ୍ର କରାଯାଉଥିବା କହିଛନ୍ତି।
ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୨୦୨୨ ମସିହାରେ ୧ ବର୍ଷ ଜେଲଦଣ୍ଡାଦେଶ କରିଥିଲେ। ସେ ଗତ ୧୦ ମାସ ହେଲା ଜେଲରେ ବନ୍ଦୀ ଥିଲେ। ତାଙ୍କୁ ଶନିବାର ମୁକ୍ତ କରାଯାଇଛି। ସିଦ୍ଧୁ ୨୭ ଡିସେମ୍ବର ୧୯୮୮ରେ ତାଙ୍କ ବନ୍ଧୁ ରୂପିନ୍ଦର ସିଂହ ସନ୍ଧୁଙ୍କ ସହିତ ଅପରାହ୍ନରେ ପଟିଆଲାର ଶେରାବାଲେ ମାର୍କେଟକୁ ଯାଇଥିଲେ। ସେଠାରେ କାର ପାର୍କିଂକୁ ନେଇ ୬୫ ବର୍ଷ ବୟଷ୍କ ଗୁରୁନାମ ସିଂହଙ୍କ ସହ ପାଟିତୁଣ୍ଡ ହୋଇଥିଲା ଓ ଏହା ହାତାହାତିକୁ ଯାଇଥିଲା।
ସିଦ୍ଧୁ ଗୁରନାମ ସିଂହଙ୍କୁ ଆଣ୍ଠୁଆ ମାରି ତଳେ ପକାଇ ଦେଇଥିଲେ। ଏଥିରେ ଗୁରୁତର ଆହତ ଗୁରନାମଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟରୁ ଗୁରନାମଙ୍କ ମୃତ୍ୟୁ ହୃଦଘାତ ହେବା ଯୋଗୁ ହୋଇଥିବା ଜଣାପଡିଥିଲା। ସେହି ଦିନ ସିଦ୍ଧୁ ଓ ତାଙ୍କ ବନ୍ଧୁ ରୂପିନ୍ଦରଙ୍କ ବିରୋଧରେ ଥାନାରେ ହତ୍ୟା ମୋକଦ୍ଦମା ରୁଜୁ ହୋଇଥିଲା। ଏହି ମାମଲାକୁ ୧୯୯୯ ମସିହାରେ ସେସନ କୋର୍ଟ ଖାରଜ କରିଦେଇଥିଲେ।
ପରେ ମାମଲା ହାଇକୋର୍ଟକୁ ଯାଇଥିବା ବେଳେ ୨୦୦୬ ମସିହାରେ ସିଦ୍ଧୁ ଓ ରୂପିନ୍ଦରଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ୩ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମନା ହୋଇଥିଲା। ପରେ ଏହି ଦଣ୍ଡାଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିବା ବେଳେ ମେ ୨୦୨୨ରେ କୋର୍ଟ ସିଦ୍ଧୁଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଥିଲେ।
