ପାକିସ୍ତାନରେ ଏବେ ପ୍ଲାଷ୍ଟିକ ଥଳିରେ ଗ୍ୟାସ୍ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏଠାରେ ସବୁଠୁ ଅଧିକ ଗ୍ୟାସ ଉତ୍ପାଦକ ଅଞ୍ଚଳ ଖୈବର ପଖତୁନଖ୍ୱାରେ ସମସ୍ୟାରେ ଥିବା ଲୋକ ଥଳିରେ ଗ୍ୟାସ୍ ଭରି ଖାଦ୍ୟ ରୋଷେଇ କରୁଛନ୍ତି । ଏହି ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ସ୍ୱପ୍ନ ପାଲଟି ଯାଇଛି । ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଆର୍ôଥକ ସଙ୍କଟର ଅତି ଦୟନୀୟ ସ୍ଥିତି ଦେଇ ଗତି କରୁଛି । ପାକିସ୍ତାନରେ ରୋଷେଇ ଗ୍ୟାସର ଦାମ୍ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ମୁସ୍କିଲ ହୋଇ ପଡ଼ିଛି ।
ଆର୍ଥିକ ସଙ୍କଟ ଭିତରେ ବାରମ୍ୱାର ବଢ଼ୁଥିବା ମହଙ୍ଗାରେ ଲୋକଙ୍କୁ ପ୍ଲାଷ୍ଟିକ ଥଳିରେ ରୋଷେଇ ଗ୍ୟାସ ବିକ୍ରି କରିବା ଓ କିଣିବାକୁ ବାଧ୍ୟ କରି ଦେଇଛି । ପାକିସ୍ତାନର ଉତ୍ତର ପଶ୍ଚିମ ଅଞ୍ଚଳ ଖୈବର ପଖକୁନଖ୍ୱାରେ ଏହା ଅତି ସଙ୍କଟ ସ୍ଥିତି ସୃଷ୍ଟି କରିଛି । ଏଠାରେ ଲୋକେ ଏଲିପିଜି ସିଲିଣ୍ଡର କିଣିବା ସ୍ଥାନରେ ପ୍ଲାଷ୍ଟିକ୍ର ଛୋଟ ଛୋଟ ଥାଳିରେ କିଛି ପରିମାଣର ଗ୍ୟାସ ଭରି ଏଥିରେ ଖାଦ୍ୟ ପ୍ରସ୍ତୁତ କରିବାକୁ ବାଧ୍ୟ ହେଉଛନ୍ତି ।
ପାକିସ୍ତାନରେ ମହଙ୍ଗା ବୃଦ୍ଧି ସମୟରେ ଗ୍ୟାସ୍ ଷ୍ଟୋରେଜ୍ରେ ହ୍ରାସ ଘଟିଛି । କମୁଥିବା ଗ୍ୟାସ ଭଣ୍ଡାର ଅଧିକାରୀଙ୍କୁ ଘରେ, ଫିଲିଂ ଷ୍ଟେସନ, ଔଦ୍ୟୋଗିକ ୟୁନିଟ୍ ଗୁଡ଼ିକୁ ସପ୍ଲାଇ କମ୍ କରିବାକୁ ବାଧ୍ୟ କରି ଦେଇଛି । ରିପୋର୍ଟ ମୁତାବିକ, ପଖତୁନଖ୍ୱାର କରାକ ଜିଲ୍ଲାରେ ୨୦୦୭ ମସିହାରୁ ଲୋକଙ୍କୁ ଗ୍ୟାସ କନେକ୍ସନ ଦିଆଯାଇ ନାହିଁ, ସେଠାରେ ଯେଉଁଠି ପଡ଼ୋଶୀର ହାଙ୍ଗୁ ଜିଲ୍ଲାର ସପ୍ଲାଇ ଲାଇନରୁ ଗ୍ୟାସ ମିଳୁଥାଏ ତାହା ବି ୨ ବର୍ଷ ହେଲା ଫାଟି ପଡ଼ିଛି ।
ଯେଉଁ ସ୍ଥାନରେ ପାଇପ୍ ଫାଟି ଯାଇଛି ସେଠାରେ ଲୋକେ ୨ ଘଣ୍ଟା ଯାଏ ଲମ୍ୱା ଲାଇନ୍ରେ ଠିଆ ହୋଇ ପ୍ଲାଷ୍ଟିକରେ ଗ୍ୟାସ ଭରି ନେଇଯାଉଛନ୍ତି । ଗ୍ୟାସ୍ ପାଇପଲାଇନ୍ ନେଟୱର୍କ ସହ ଜଡି଼ତ ଦୋକାନ ଗୁଡ଼ିକରେ ପ୍ଲାଷ୍ଟିକର ଥଳିରେ ଏକ କମ୍ପ୍ରେସର ସାହାଯ୍ୟରେ ୨ କିଲୋଗ୍ରାମ, ୩ କିଲୋଗ୍ରାମ ହିସାବରେ ଏଲପିଜି ଭରି ଦିଆଯାଏ । ଏହି ଥଳି ଗୁଡ଼ିକର ମୁହଁକୁ ନଜେଲ ଓ ଭଲଭକୁ ଟାଇଟ୍ କରି ଲଗାଇ ଦିଆଯାଏ ।
