ବାଡିରେ ଫଳିଛି କରୋନା ଭାଇରସ୍ ଆକୃତିର କାକୁଡି

ନବରଙ୍ଗପୁର,୧୬/୧୧: ବାଡିରେ ଫଳିଛି କରୋନା ଭାଇରସ୍ ଆକୃତିର କାକୁଡି । ନବରଙ୍ଗପୁରରୁ ଆସିଛି କରୋନାର ଏହି ଆକୃତିକୁ ନେଇ ଭିନ୍ନ ଏକ ଦୃଶ୍ୟ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ସରାଗୁଡା ଗାଁର ଏକ କାକୁଡି ଗଛରେ କରୋନା ଭାଇରସ୍ ଆକୃତିର କାକୁଡି ଫଳିଛି । ବ୍ୟକ୍ତିଗତ କାମରେ ସରାଗୁଡା ଯାଇଥିବା ରବି ନାଗ ନାମକ ବ୍ୟକ୍ତିଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି କାକୁଡିଟି ଗଛରୁ ତୋଳି ଆଣି ଦେଇଥିଲେ । କାକୁଡିଟିକୁ ଦେଖି ରବି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାଧାରଣତଃ କାକୁଡି ଦେହ ଚିକଣ ରହିଥିବା ବେଳେ କିନ୍ତୁ ଏହି କାକୁଡି ଦେହ ସାରା ଲମ୍ବା ଲମ୍ବା କଣ୍ଟା ଭଳି ବାହାରିଛି । କାକୁଡିଟି ଠିକ୍ କରୋନା ଭାଇରସ୍ ଆକୃତି ସହିତ ମେଳ ଖାଉଛି । ରବି ଏହି କାକୁଡିର ଫଟୋକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ପରେ ଏହା ପ୍ରବଳ ମାତ୍ରାରେ ଭାଇରାଲ ହୋଇଥିଲା । ଏହି କରୋନା ପ୍ରତିକୃତିର କାକୁଡି ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ଏବଂ ଲୋକଙ୍କ ଗହଳି ଜମିଛି ।