ଭୁବନେଶ୍ୱର, ୧୨/୦୭ : ପୁରୀ, ପାରାଦ୍ବୀପ, ବାରିପଦା, ସମ୍ବଲପୁର, ଦେବଗଡ଼, ଜଗତସିଂହପୁର ଏବଂ ରାଉରକେଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର କେତେକ ଅଂଶରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଅନ୍ୟାନ୍ୟ ସ୍ଥାନଗୁଡିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାରକିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଅଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ଆସନ୍ତାକାଲି(ରବିବାର)ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ ତେବେ ଏହାର ପ୍ରଭାବରେ ୧୩ କିମ୍ବା ୧୪ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ବରଠାରୁ ପୁରୀ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ମଧ୍ୟମ ଧରଣ ବର୍ଷାର ସମ୍ଭାବନା ଅଛି। କିନ୍ତୁ ଦକ୍ଷିଣ ଓଡ଼ିଶାର ଜିଲାଗୁଡିକରେ ବିଶେଷ ବର୍ଷାର ସମ୍ଭାବନା ନାହିଁ।