ଭୁବନେଶ୍ୱର,୨୮/୮: (ପ୍ରଦୀପ୍ତ କୁମାର ଦାସ) – ରାଜଧାନୀରେ ୨ ଜଣ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ଦାଦାବଟି ଜୁଲମ କରିବା ଘଟଣାରେ ଶନିବାର ଲାଇଭ କଳିଙ୍ଗ ନାମକ ଏକ ୱେବ ଚାନେଲର ଜଣେ ଯୁବତୀ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l
କମିସନରେଟ ପୋଲିସ ଅଭିଯୁକ୍ତମାନଙ୍କୁ ତଡିପାର ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ l ତେବେ ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଏହି ସଂସ୍ଥାର CEO ରାଜ ଫେରାର ହୋଇଯାଇଥିବା ଜଣାପଡିଛି l
ଫେରାର ମୁଖ୍ୟ ଅଭିଯୁକ୍ତ ରାଜ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଥିବା ଡିସିପି କହିଛନ୍ତି l ତେବେ ପୂରା ଘଟଣା ଥିଲା ଏମିତି, ନିଜ ନିଜକୁ ସମ୍ପୃକ୍ତ ସଂସ୍ଥାର ରିପୋର୍ଟର ପରିଚୟ ଦେଇ ଏମାନେ ଦୁଇଜଣ ବ୍ୟବସାୟୀଙ୍କୁ ଏକ ଭଡାଘରେ ଚାଲିଥିବା ଉକ୍ତ ସଂସ୍ଥାର କାର୍ଯ୍ୟାଳୟକୁ ଡକାଇ ସେଠାରେ ମୁଣ୍ଡଜାମିନ ରଖିଥିଲେ l ସେମାନେ ୨ ବ୍ୟବସାୟିଙ୍କୁ ସେଠାରେ ବଳପୂର୍ବକ ଅଟକ ରଖି କହିଥିଲେ ଯେ ଆପଣଙ୍କ ଘୋଟାଲାର ସବୁ ଡାଟା ଆମ ପାଖରେ ରହିଛି l ଦଶ ଲକ୍ଷ ଟଙ୍କା ଆମକୁ ନଦେଲେ ଆମେ ସେହି ତଥ୍ୟକୁ ନେଇ ତୁମ ବିରୋଧରେ ଟେଲିକାଷ୍ଟ କରିଦେବୁ l ଏଥିରେ ପ୍ରଥମେ ବ୍ୟବସାୟୀ ଦ୍ବୟ ରାଜି ନହେବାରୁ ଅଫିସ୍ ଭିତରେ ପୂରାଇ ଦୁଇଦିନ ଧରି ଦୁହିଁଙ୍କୁ ଏମାନେ ନିସ୍ତୁକ ମାଡ଼ମାରିଥିଲେ ଓ ସେ ଦୁହିଁଙ୍କୁ ଆହତ କରିଥିଲେ l ତେବେ ଅତ୍ୟାଚାର ଅସହ୍ୟ ହେବାରୁ ଭୟରେ ଦୁହେଁ ଘରକୁ ଫୋନ୍ କରି କିଛି ଟଙ୍କା ମଗାଇ ସେମାନଙ୍କୁ ଦେଇଥିଲେ lଏହାପରେ ସେମାନଙ୍କ କବଳରୁ ଉଭୟେ ମୁକୁଳିଥିଲେ l
ତେବେ ମୁକୁଳିବା ପରେ ଉଭୟ ନନ୍ଦନକାନନ ଥାନାରେ ଏନେଇ ଅଭିଯୋଗ କରିଥିଲେ.ଅଭିଯୁକ୍ତମାନଙ୍କୁ ତୁରନ୍ତ ଧରିବା ପାଇଁ ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା l ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲାଇଭ୍ କଳିଙ୍ଗର ଜଣେ ସିକ୍ୟୁରିଟି ଗାର୍ଡ଼ ଓ ଜଣେ ଯୁବତୀଙ୍କ ସମେତ ୫ ଜଣ କର୍ମଚାରୀଙ୍କୁ ଗିରଫ କରିଛି l ସେମାନଙ୍କୁ ତଡ଼ିପାର କରାଯିବ ବୋଲି ଡିସିପି କହିଛନ୍ତି l ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି l
ଏହି ମର୍ମରେ ଡିସିପି କହିବା ଅନୁସାରେ ଗିରଫ ଅଭିଯୁକ୍ତମାନେ ନିଜକୁ ମିଡ଼ିଆର କର୍ମଚାରୀ ବୋଲି ପରିଚୟ ଦେଉଥିବାରୁ ଅନେକ ଲୋକ ଭୟଭୀତ ହୋଇ ସେମାନଙ୍କ କାରନାମା ବିରୋଧରେ ଅଭିଯୋଗ କରିପାରୁନଥିଲେ l ତେବେ ଏମାନଙ୍କ ନାଁରେ ପୂର୍ବରୁ ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନାରେ ମଧ୍ୟ ଦୁଇଟି ମାମଲା ରହିଛି l ଏହାଛଡ଼ା ଅନ୍ୟ କେତେକ ଘଟଣାରେ ମଧ୍ୟ ଏମାନଙ୍କ ବିରୋଧରେ ଏକାଧିକ ଅଭିଯୋଗ ରହିଛ l ସେମାନେ ଚଳାଉଥିବା ଉକ୍ତ ସଂସ୍ଥା କାର୍ଯ୍ୟାଳୟରୁ ପୋଲିସ ଚାନେଲରେ ବ୍ୟବହୃତ ହେଉଥିବା ଅନେକ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି,କ୍ୟାମେରା ଓ ଆନୁସଙ୍ଗିକ ସାମଗ୍ରୀ ସହ କିଛି ମାରଣାସ୍ତ୍ର ମଧ୍ୟ ଜବତ କରିଛି l ଏସବୁ କାରନାମା କାରଣରୁ ପୋଲିସ ଉକ୍ତ ସଂସ୍ଥାର କାର୍ଯ୍ୟାଳୟକୁ ମଧ୍ୟ୍ୟ ସିଲ କରିଛି l ଏନେଇ ଅଭିଯୁକ୍ତମାନଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଆଇପିସିର 364(A),506,307,34 ସହ 25 ଆର୍ମସ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରାଯାଇ ଅଧିକ ଅନୁସନ୍ଧାନ ଜାରି ରହିଥିବାବେଳେ ଏହାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ସଂସ୍ଥାର ସିଇଓ ରାଜକୁ ଗିରଫ କରିବାକୁ ପୋଲିସ ତନାଘନା ଚଳାଇଥିବା ଜଣାପଡିଛି l