ମୌଳିକ କମ୍ପ୍ୟୁଟର୍‌ ଶିକ୍ଷା ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ଉଚ୍ଚ ନ୍ୟାୟାଳୟଙ୍କୁ ସ୍ପଷ୍ଟୀକରଣ

ଭୁବନେଶ୍ୱର,୨୮ /୮ : ତା.୨୬/୮/୨୦୨୧ ପତ୍ର ସଂଖ୍ୟା EIT-DEV-III-MISC-୦୦୦4-2021/2306  ମାଧ୍ୟମରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍‌ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟାବିଭାଗ ସଚିବ, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ କମ୍ପ୍ୟୁଟର୍‌ ଶିକ୍ଷା ଯୋଗ୍ୟତାକୁ ଅଧାରକରି ଦାଖଲ ହୋଇଥିବା ମାମଲାକୁ ଶେଷକରିବା ପାଇଁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ମାନ୍ୟବର ସଚିବ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓକେସିଏଲ୍‌ (OKCL) ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ଏକ ସଂସ୍ଥା ଯାହାକି ଇଲେକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନରେ କାର୍ଯ୍ୟ କରୁଛି । ଏହାର ମୂଳ ଉଦ୍ଦେଶ୍ୟ ହେଲା ରାଜ୍ୟରେ କମ୍ପ୍ୟୁଟର ଶିକ୍ଷାର ପ୍ରଚାର ଓ ପ୍ରସାରକରି ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ବୈଷମ୍ୟତାକୁ ଦୂରକରିବା । ଆହୁରି ମଧ୍ୟ ସେ ଦର୍ଶାଇଛନ୍ତି ଯେ, ଇଲେକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ଓଡ଼ିଶା ସରକାରଙ୍କ ସଚିବ ଓକେସିଏଲ୍ ର ଅଧ୍ୟକ୍ଷ ଏବଂ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ସଚିବ ଓକେସିଏଲ୍ ର ରାଜ୍ୟସରକାରଙ୍କ ଦ୍ୱାରା ମନୋନୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଛନ୍ତି । ଓକେସିଏଲ୍ ଦ୍ୱାରା ପ୍ରଦାନ କରାଯାଉଥିବା କମ୍ପ୍ୟୁଟର୍ ପାଠ୍ୟକ୍ରମ ଓଏସ୍‌-ସିଆଇଟି, ଇଲେକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି ବିଭାଗ ଦ୍ୱାରା ଗଠିତ ଉଚ୍ଚ ବୈଷୟିକ କମିଟି ଦ୍ୱାରା ଅନୁମୋଦିତ ଅଟେ ।ଏହାର ଗୁଣବତ୍ତା, ଶିକ୍ଷାଦାନ ପ୍ରଣାଳୀ, ଶିକ୍ଷାଗ୍ରହଣ ପ୍ରଣାଳୀ ଓ ଉପଯୁକ୍ତ ମୂଲ୍ୟାୟନକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ମୁକ୍ତବିଶ୍ୱବିଦ୍ୟାଳୟ, ଓଡ଼ିଶା ସରକାର, ଓଏସ୍‌-ସିଆଇଟି ପରୀକ୍ଷା ପରିଚାଳନା କରି ସଫଳତାର ପ୍ରମାଣ ପତ୍ର ପ୍ରଦାନ କରିଥାନ୍ତି ।

ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ମାର୍ଚ୍ଚ ୧୯ତାରିଖ ୨୦୨୧ ମସିହାରେ ଗେଜେଟ୍‌ବିଜ୍ଞପ୍ତି ସଂଖ୍ୟା-୪୬୫ ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, ସରକାରୀ, ଅର୍ଦ୍ଧସରକାରୀ ଓ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ପିଏସ୍‌ୟୁ ନିଯୁକ୍ତି କ୍ଷେତ୍ରରେ କେବଳ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟର ପିଜିଡିସିଏ / ଡିସିଏ, କେନ୍ଦ୍ର ସରକାରଙ୍କ ପରିଚାଳିତ ଏନ୍‌ଆଇଏଲ୍‌ଇଟି ର ‘ଓ’ ଲେବଲ୍‌, ଏଆଇସିଟିଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ଓ ଓକେସିଏଲ୍ ଦ୍ୱାରା ପ୍ରଦାନ କରାଯାଉଥି ବାଓଏସ୍‌-ସିଆଇଟି ପ୍ରମାଣପତ୍ରକୁ ଗ୍ରହଣ କରିବେ । ଉକ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାସ୍ତରରେ ଅନୁଷ୍ଠିତ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା ଓ ଅଣସ୍ୱୀକୃତିପ୍ରାପ୍ତ ପିଜିଡିସିଏ / ଡିସିଏ ପ୍ରମାଣପତ୍ର ଦେଇଥିବା ଆବେଦନକାରୀଙ୍କ ଆବେଦନ ପତ୍ରକୁ ଖାରଜ କରାଯାଇଥିଲା । ନିଯୁକ୍ତି ଆବେଦନ ଖାରଜ ହୋଇଥିବା ଆବେଦନକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିବା ବିଭିନ୍ନ ସଂସ୍ଥାମାନେ ସରକାରଙ୍କ ଏହି ବିଜ୍ଞପ୍ତିକୁ ରଦ୍ଦକରିବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।ଏହି ପରିପ୍ରେକ୍ଷୀରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

 

ଆହୁରି ମଧ୍ୟ ଏହିବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିରବନ୍ଧନ ମହାନିରୀକ୍ଷକ ଆଇଜିଆର୍‌,ଓଡ଼ିଶା ସରକାର,ତା.୨୦.୦୫.୨୦୨୧ରିଖ ରେ ଇ-ମେଲ୍‌ ମାଧ୍ୟମରେ ରାଜ୍ୟର ସମସ୍ତ ଅତିରିକ୍ତ ଜିଲ୍ଲାମାଜିଷ୍ଟେଟ୍ ତଥା ଜିଲ୍ଲା ପଞ୍ଜିକରଣ ଅଧିକାରୀମାନଙ୍କୁ ଜଣାଇଥିଲେ କି, ସୋସାଇଟି ଆକ୍ଟ-୧୮୬୦ ଅଧିନରେ ପଞ୍ଜିକରଣ କରିଥିବା କୌଣସି ସଂସ୍ଥା ପିଜିଡିସିଏ / ଡିସିଏ ପାଠ୍ୟକ୍ରମର ପ୍ରମାଣପତ୍ର ପ୍ରଦାନ କରିପାରିବେ ନାହିଁ । ଯଦି ଏହି ପଞ୍ଜିକୃତ ସଂସ୍ଥାଗୁଡ଼ିକ କୌଣସି ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପିଜିଡିସିଏ /ଡିସିଏ ପ୍ରଚଳନ ପାଇଁ ଅନୁମୋଦନ ହାସଲ କରିଥାନ୍ତି ସେହି କ୍ଷେତ୍ରରେ କେବଳ ସେମାନେ ପ୍ରାମାଣପତ୍ର ପ୍ରଦାନ କରିପାରିବେ ।

ସୋସାଇଟି ଆକ୍ଟ ୧୮୬୦ରେ ପଞ୍ଜିକୃତ ଅନୁଷ୍ଠାନମାନଙ୍କ ବିଷୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ କରିଥିବା ପ୍ରଶ୍ନ ଉପରେ ସଚିବ କିଛିବି ମନ୍ତବ୍ୟ ଦେଇନାହାନ୍ତି ଓ ଉପରୋକ୍ତ ତଥ୍ୟକୁ ଆଧାର କରିଏହି ମାମଲାକୁ ଶେଷ କରିବାକୁ ଉଚ୍ଚ ନ୍ୟାୟାଳୟକୁ ଦର୍ଶାଇଛନ୍ତି ।