ଜୁନରୁ ଦୈନିକ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ

ଭୁବନେଶ୍ୱର, ୦୭/୦୫ : ଜୁନ ମାସରୁ ଦୈନିକ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଲଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଆଭିଏସନ୍ ଆସେଟ୍ସ ଆଣ୍ଡ ନେଟୱାର୍କ (B-MAAN) ଯୋଜନା ଅଧୀନରେ ଏହି ଦୈନିକ ବିମାନ ଉଡାଣ ନେଇ ସୂଚନା ଦେଇଛନ୍ତି । ଗନ୍ତବ୍ୟ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ଓଡ଼ିଶା ପାଇଁ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆଞ୍ଚଳିକ ସଂଯୋଗୀକରଣ ପାଇଁ ନୂତନ ରାସ୍ତା ଖୋଲିବ । ଇଣ୍ଡିଗୋ ଦ୍ୱାରା ଏହି ବିମାନ ସେବା ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଫେବୃଆରୀରେ ୨୦୨୫-୨୬ ବଜେଟରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିମାନ ଭିତ୍ତିଭୂମି ବିକାଶକୁ ସମର୍ଥନ କରିବା ଏବଂ ବିମାନ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ B-MAAN ଯୋଜନା ପାଇଁ ଜୋର ଦେଇଥିଲେ । ଏପରିକି ପାରାଦୀପରେ ଏକ ନୂତନ ବିମାନବନ୍ଦର ପ୍ରତିଷ୍ଠା ଏବଂ ୧୦ଟି ଘରୋଇ ଓ ୩ଟି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ବିମାନ ସଂଯୋଗୀକରଣ ବିସ୍ତାର କରିବା ପାଇଁ ୩୮୨ କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରାଯାଇଥିଲା ।