ବାଲେଶ୍ୱର,୧୯/୫: ବାଲେଶ୍ୱର ସଦର ଥାନା ନନ୍ଦୀଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁହେଁ ହେଲେ ରମାନାଥ ଦାସ ଓ ପୁଷ୍ପଲତା ଦାସ। ସମ୍ପର୍କରେ ଦୁହେଁ ଶ୍ୱଶୁର ଓ ବୋହୂ ବୋଲି ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି।
ମିଳିଥିବା ଖବରରୁ ପ୍ରକାଶ ଯେ, ବାତ୍ୟା ପୂର୍ବରୁ ରମାନାଥ ଦାସଙ୍କ ଘରେ ବିଦ୍ୟୁତ ମରାମତି କାମ ଚାଲିଥିଲା। ଏହି ସମୟରେ କୌଣସି କାରଣରୁ ରମାନାଥ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ ଆଘାତ ଲାଗିବା ପରେ ଶ୍ୱଶୁର ଛଟପଟ ହେଉଥିବା ଦେଖି ବୋହୂ ପୁଷ୍ପଲତା ଦାସ ନିଜ ଜୀବନକୁ ଖାତିର ନକରି ଉଦ୍ଧାର କରିବାକୁ ଚାଲି ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ପୁଷ୍ପଲତା ମଧ୍ୟ ସେହି ବିଦ୍ୟୁତ ଆଘାତର ଶିକାର ହୋଇ ଯାଇଥିଲେ।
ଏହି ବିଦ୍ୟୁତ ଆଘାତ ଲାଗିବା ପରେ ଘଟଣାସ୍ଥଳରେ ଉଭୟ ଶ୍ୱଶୁର ରମାନାଥ ଓ ବୋହୂ ପୁଷ୍ପଲତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏଭଳି ଏକ ଦୁଃଖଦ ଘଟଣା ମଙ୍ଗଳବାର ସକାଳେ ଘଟିଥିବା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏଥିସହ ପୁଲିସ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠା ଦେଇଛି। ଏନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।