ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାଜନକ, ୨୩ ଅଞ୍ଚଳରେ AQI ୪୦୦ ପାର୍

ନୂଆଦିଲ୍ଲୀ, ୦୯/୧୧ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି । କଟକଣା ସତ୍ତ୍ୱେ ବାଣ ଫୁଟାଇବା ଯୋଗୁଁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀର ୨୩ଟି ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଛି, ଯାହା ଗମ୍ଭୀର ଶ୍ରେଣୀରେ ଆସୁଛି । ନଭେମ୍ବର ୮ ତାରିଖ ସକାଳ ୭ଟା ୫ ମିନିଟ୍ ସୁଦ୍ଧା ଦିଲ୍ଲୀର ହାରାହାରି AQI ୩୮୪ ରେକର୍ଡ କରାଯାଇଛି । ଜାହାଙ୍ଗୀରପୁରୀରେ ସର୍ବାଧିକ ୪୫୦ AQI ରେକର୍ଡ ହୋଇଛି । ସେହିପରି ପଞ୍ଜାବୀ ବାଗରେ ୪୪୯, ଆରକେ ପୁରମରେ ୪୪୮, ବାୱାନାରେ ୪୪୬, ରୋହିଣୀ ଓ ଆଇଆଇଟି ଦିଲ୍ଲୀରେ ୪୪୫ ଏବଂ ଏନଏସଆଇଟି ଦ୍ୱାରକାରେ ୪୪୧ AQI ରେକର୍ଡ କରାଯାଇଛି । ଏହି ଅଞ୍ଚଳଗୁଡ଼ିକରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି।

ଦିଲ୍ଲୀରେ ଦିନର ତାପମାତ୍ରା ଧୀରେ ଧୀରେ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆସନ୍ତା ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨୬ରୁ ୨୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେବଳ CSIR-NEERI ଦ୍ୱାରା ପ୍ରମାଣିତ ଗ୍ରୀନ୍ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ନଭେମ୍ବର ୮ ତାରିଖରେ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସମୟ ନିର୍ଦ୍ଧାରଣ କରାଯାଇଛି । ଏହାସହ ହସ୍ପିଟାଲ, ସ୍ୱାସ୍ଥ୍ୟ କେନ୍ଦ୍ର, ବୃଦ୍ଧାଶ୍ରମ ଏବଂ ଶିକ୍ଷାନୁଷ୍ଠାନର ୩୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ନିୟମ ଉଲ୍ଲଂଘନ କଲେ ବାଣ ଜବତ କରାଯିବା ସହ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ ହୋଇପାରେ । ଏଥିସହ ପୋଲିସ ଏଫଆଇଆର୍ ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ।