ଧାରଣା ପରେ ପେଲେଟ୍ ଗନ୍ ମାଡ଼ ମାମଲାରେ ରୁଜୁ ହେଲା ଏଫ୍‌ଆଇଆର୍

ନୂଆଦିଲ୍ଲୀ : ଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ ଥାନା ବାହାରେ ଆଜି ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଥାନା ସମ୍ମୁଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜିଦ୍ ଏବଂ ପ୍ରାୟ ୪ ଘଣ୍ଟାର ଧାରଣା ପରେ ପେଲେଟ୍ ଗନ୍ ମାଡ଼ର ଶିକାର ହୋଇଥିବା ୧୯ ବର୍ଷୀୟ ଛାତ୍ର ସାହିଲ ଲୋଚାବଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ବିଧିବଦ୍ଧ ଭାବେ ଏଫ୍‌ଆଇଆର୍ ରୁଜୁ କରିଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ ତାରିଖରେ ଛାତ୍ରମାନଙ୍କ ଦ୍ୱାରା ଆୟୋଜିତ ‘ସଂସଦ ଚଲୋ’ ମାର୍ଚ୍ଚ ସମୟରେ ଗୁରୁତର ଭାବେ ଆହତ ହୋଇଥିବା ସାହିଲଙ୍କୁ ସାଙ୍ଗରେ ଧରି ରାହୁଲ ଗାନ୍ଧୀ ଆଜି ପୁଲିସ ଥାନା ବାହାରେ ଧାରଣାରେ ବସି ରହିଥିଲେ ଏବଂ ମାମଲା ଦାୟର ନହେବା ପର୍ଯ୍ୟନ୍ତ ସେଠାରୁ ନଉଠିବା ପାଇଁ ସ୍ପଷ୍ଟ ଚେତାବନୀ ଦେଇଥିଲେ।

ଦିଲ୍ଲୀ ପୁଲିସ ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଏହି ସମଗ୍ର ମାମଲାର ଯାଞ୍ଚ କରୁଥିବା ଦର୍ଶାଇ ସ୍ୱତନ୍ତ୍ର ଭାବେ ନୂତନ ମାମଲା ରୁଜୁ କରିବାକୁ ମନା କରିଦେଇଥିଲା। ମାତ୍ର ରାହୁଲ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ‘ଯଦି ଆପଣମାନେ ଏଫଆଇଆର୍ ରୁଜୁ ନକରିବେ, ତେବେ ମୁଁ ଏହି ପୁଲିସ ଥାନା ବାହାରେ ୩୦ ଦିନ କିମ୍ବା ୬ ମାସ ପର୍ଯ୍ୟନ୍ତ ଧାରଣାରେ ବସି ରହିବି’। ଏହି କଠୋର ଆଭିମୁଖ୍ୟ ପରେ ପୁଲିସ ଅଧିକାରୀମାନେ ପୀଡ଼ିତଙ୍କ ଚିକିତ୍ସା ସମ୍ପର୍କିତ ଦସ୍ତାବିଜ ଓ ମେଡିକାଲ ରିପୋର୍ଟ ସଂଗ୍ରହ କରି ମାମଲା ଦାୟର ପ୍ରକ୍ରିୟା ଆରମ୍ଭ କରିଥିଲେ। ରାହୁଲଙ୍କ ଏହି ଧାରଣାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଏହି ପ୍ରତିବାଦ ସମୟରେ ରାହୁଲ ଗାନ୍ଧୀ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖକୁ ଆସି ଏକ ଛୋଟ ପ୍ଲାଷ୍ଟିକ୍ ଡବା ଖୋଲି ସେଥିରେ ଥିବା ପେଲେଟ୍‌ଗୁଡ଼ିକୁ ନିଜ ହାତ ପାପୁଲିରେ ଢାଳି ପ୍ରଦର୍ଶନ କରିଥିଲେ। ସେ ସର୍ବସମ୍ମୁଖରେ ଉଚ୍ଚ ସ୍ୱରରେ କହିଥିଲେ ଯେ, ‘ଏଗୁଡ଼ିକ ହେଉଛି ସେହି ପେଲେଟ୍, ଏହାକୁ ଭଲ ଭାବେ ଦେଖନ୍ତୁ, ଅତି ସ୍ପଷ୍ଟ ଭାବେ ଦେଖନ୍ତୁ, ଏଗୁଡ଼ିକ ହିଁ ସେହି ମାରାତ୍ମକ ପେଲେଟ୍‌। ଏଗୁଡ଼ିକ ସାହିଲଙ୍କ ଶରୀର ଭିତରଉ ହିଁ ବାହାର କରାଯାଇଛି’। କଳା ଚଷମା ପିନ୍ଧିଥିବା ଆହତ ଛାତ୍ର ସାହିଲ ନିଜ ଟି-ସାର୍ଟର ହାତ ସଂକୁଚିତ କରି ଶରୀରରେ ଲାଗିଥିବା ଗଭୀର ଆଘାତର ଚିହ୍ନ ଏବଂ କ୍ଷତଗୁଡ଼ିକୁ ସାମ୍ବାଦିକମାନଙ୍କୁ ପ୍ରଦର୍ଶନ କରିଥିଲେ। ରାହୁଲ ଗାନ୍ଧୀ ଏହି ସମୟରେ କହିଥିଲେ ଯେ, ୩ ଟି ପେ‌ଲେଟ୍‌ ବର୍ତ୍ତମାନ ସୁଦ୍ଧା ତାଙ୍କ ଆଖି ଭିତରେ ରହିଛି, ଯଦ୍ଦ୍ୱାରା ତାଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। ସେ ଏହି ବକ୍ତବ୍ୟ ଅଫିସିଆଲ୍ ଚିକିତ୍ସା ରିପୋର୍ଟ ସାର୍ବଜନୀନ କରିଥିଲେ, ଯେଉଁଥିରେ ସାହିଲ ଲୋଚାବଙ୍କ ଶରୀରରେ ଏତେ ସଂଖ୍ୟକ ଛରା ରହିଥିବା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ଅପରପକ୍ଷରେ ଦିଲ୍ଲୀ ପୁଲିସ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର କରାଯାଇଥିବା ସମସ୍ତ ଅଭିଯୋଗକୁ ପ୍ରାରମ୍ଭରୁ ହିଁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଆସିଛି। ସାଧାରଣତଃ ସିଆରପିଏଫ୍‌ର ଦଙ୍ଗା ନିୟନ୍ତ୍ରଣ ବିଶେଷ ବାହିନୀ ରୢାପିଡ୍‌ ଆକ୍ସନ୍ ଫୋର୍ସ (ଆର୍‌ଏଏଫ୍) କର୍ମଚାରୀଙ୍କ ପାଖରେ ଏହି ପେଲେଟ୍ ଗନ୍ ଏବଂ ସକ୍ ବ୍ୟାଟନ୍ ବ୍ୟବହାର କରିବାର ସାମଗ୍ରୀ ମହଜୁଦ ଥାଏ, ମାତ୍ର ଏହି ପ୍ରସଙ୍ଗରେ ସିଆରପିଏଫ୍ ମୁଖ୍ୟ କିମ୍ବା ବାହିନୀ ପକ୍ଷରୁ କୌଣସି ଆଧିକାରିକ ବକ୍ତବ୍ୟ ପ୍ରକାଶ କରାଯାଇ ନାହିଁ ନ୍ତି। ବୈଷୟିକ ନିୟମ ଓ ସ୍ପଷ୍ଟ ଏସ୍‌ଓପି ଅନୁଯାୟୀ, ଗୋଟିଏ ପେଲେଟ୍ ଗନ୍ କାର୍ଟ୍ରିଜ୍‌ରୁ ପ୍ରାୟ ୬୦୦ ଧାତବ କିମ୍ବା ରବର ଛରା ପ୍ରତି ସେକେଣ୍ଡରେ ୧,୦୦୦ ଫୁଟ୍ ବେଗରେ ବ୍ୟାପକ ଭାବେ ନିର୍ଗତ ହୋଇଥାଏ । ଏହାକୁ ସର୍ବନିମ୍ନ ୫୦୦ ଫୁଟ୍ ଦୂରତାରୁ ଏବଂ କେବଳ ପ୍ରତିବାଦକାରୀଙ୍କ ଅଣ୍ଟା ତଳକୁ ଲକ୍ଷ୍ୟ କରି ଗୁଳି ଚଳାଇବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।