ହଇଜା ଚିହ୍ନଟ ପରେ ଚିନ୍ତାରେ ପ୍ରଶାସନ : ଆଜି ସ୍ଥିତି ପରଖିବେ କେନ୍ଦ୍ରୀୟ ଦଳ

0

ଭୁବନେଶ୍ବର, ୧୫/୦୬ : ଯାଜପୁରରେ ହଇଜା ଚିହ୍ନଟ ପରେ ଚିନ୍ତାରେ ରହିଛି ପ୍ରଶାସନ। ଏବେବି ବିଭିନ୍ନ ହସ୍ପିଟାଲରେ ପାଖାପାଖି ୨୦୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏହାର ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରରୁ ୧୪ ଜଣିଆ ଟିମ ଆସୁଛନ୍ତି। ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହି ଟିମରେ ଆଇସିଏମ୍‌ଆର, ଏନସିଡିସି, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, ଖାଦ୍ୟ ନିରାପତ୍ତା ବିଭାଗର ସଦସ୍ୟ ଅଛନ୍ତି। ସେହିପରି ଜନସ୍ବାସ୍ଥ୍ୟ ନିର୍ଦେଶକ ଓ ସ୍ବାସ୍ଥ୍ୟ ନିର୍ଦେଶକ ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଯାଜପୁର ଯାଇ ସ୍ଥିତି ତଦାରଖ କରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲାରେ ଝାଡ଼ାବାନ୍ତି ବ୍ୟାପିଥିବାବେଳେ ଏବେ ଦ୍ବୈତନଗରୀର କିଛି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ନେଇ ପ୍ରଶାସନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି। ଯାଜପୁରଠାରେ ପ୍ରଦୂଷିତ ପାଣି ନିମନ୍ତେ ଝାଡ଼ାବାନ୍ତି ଆରମ୍ଭ ହୋଇଥିବା ବିଭାଗୀୟ ଅଧିକାରୀ ଆଶଙ୍କା କରୁଥିବାବେଳେ ବାସି ଖାଦ୍ୟକୁ ନେଇ ଆଜି ସମ୍ପୃକ୍ତ ଅଞ୍ଚଳରେ ଯାଞ୍ଚ କରାଯାଇଛି। ଏବେ ପ୍ରତି ପଞ୍ଚାୟତରେ ଜଳ ବିଶୋଧନ କରାଯାଉଛି। ଆଶା ଓ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ସଚେତନ କରୁଛନ୍ତି। ଖୁବଶୀଘ୍ର ସ୍ଥିତି ଜାଣିବା ପାଇଁ ଆଜି ଯାଜପୁର ଗସ୍ତ କରିଥିଲେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶକ ବୃନ୍ଦା ଡି। ବିଭିନ୍ନ ସ୍ଥାନ ଯାଞ୍ଚ କରିବା ପରେ ସେ କହିଛନ୍ତି ଯେ, ଏଠାରେ ଆଜି କିଛି ନୂଆ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟ ଟିମ ଏ ଦିଗରେ କାର୍ଯ୍ୟ କରୁଛି। ସେ ଜନସାଧାରଣଙ୍କୁ ପାଣି ଫୁଟାଇ ପିଇବା ସହିତ ବାହାର ଖାଦ୍ୟ ନ ଖାଇବାକୁ ପରାମର୍ଶ ଦେଇଛନ୍ତି। ଝାଡ଼ାବାନ୍ତିରେ ଯେଉଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ସେମାନଙ୍କ ବ୍ୟବଚ୍ଛେଦ ବିବରଣୀକୁ ଅପେକ୍ଷା କରାଯାଇଛି। ବିବରଣୀ ଆସିବା ପରେ କାରଣ ଜଣାପଡ଼ିବ। ସ୍ଥିତି ନିୟନ୍ତ୍ରଣରେ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି।

SBI AD
Leave A Reply

Your email address will not be published.