ଭୁବନେଶ୍ୱର, ୦୬/୦୭ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କଟକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ । ଜିଲ୍ଲାପାଳ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା–୩୪ ଅନୁଯାୟୀ ଜରୁରୀ ଆଦେଶ ଜାରି କରି ଆଜି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି, ଜଳବନ୍ଦୀ ଏବଂ ସ୍ଥାନୀୟ ବନ୍ୟା ପରିସ୍ଥିତିର ଆଶଙ୍କା ଥିବାରୁ ନଦୀରେ ଗାଧୋଇବା, ପହଁରିବା ସମେତ ସମସ୍ତ ମନୋରଞ୍ଜନ ଓ ବ୍ୟବସାୟିକ କାର୍ଯ୍ୟକଳାପକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି । ଏହାସହ କଟକ ମହାନଗର ନିଗମ ଓ ସମସ୍ତ ବ୍ଳକ ବିଡିଓଙ୍କୁ ନଦୀଘାଟରେ ମାଇକିଂ କରି ଲୋକଙ୍କୁ ସଚେତନ କରିବା ଏବଂ ନୋଡାଲ ଅଧିକାରୀ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଥାନା ଆଇଆଇସିଙ୍କୁ ନଦୀଘାଟରେ ପୋଲିସ ପାଟ୍ରୋଲିଂ ଜୋରଦାର କରି ଲୋକଙ୍କ ପ୍ରବେଶ ରୋକିବାକୁ କୁହାଯାଇଛି । ଆସନ୍ତାକାଲି ଜିଲ୍ଲାର ସମସ୍ତ ବଡ଼ ସରକାରୀ ଓ ବେସରକାରୀ ନିର୍ମାଣ କାମ ସ୍ଥଗିତ ରହିବ । କେବଳ ବନ୍ୟା ପରିଚାଳନା, ଉଦ୍ଧାର ଓ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧୀୟ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ଜିଲ୍ଲାର ସମସ୍ତ ବାଲି ସୈରାତ ଉତ୍ସ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଆଦେଶ ହୋଇଛି । ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହି ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଓ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।