ନୂଆଦିଲ୍ଲୀ,୨୧/୬ : ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ଦେଇଛି ଏନ୍ଡିଏ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶୱନ୍ତ ସିହ୍ନାଙ୍କୁ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଜି ଘୋଷଣା କରିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନିଜର ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସ୍ବାଗତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, “ସମାଜସେବା ବିଶେଷକରି ଗରିବ, ଦୁର୍ବଳ ବର୍ଗର ସେବା ଓ ସେମାନଙ୍କ ସଶକ୍ତିକରଣ ଦିଗରେ ଦ୍ରୌପଦୀ ମୁର୍ମୁ ନିଜର ସାରା ଜୀବନ ଉତ୍ସର୍ଗ କରିଛନ୍ତି । ତାଙ୍କର ଉତ୍ତମ ପ୍ରଶାସନିକ ଅଭିଜ୍ଞତା ରହିଛି ଓ ରାଜ୍ୟପାଳଭାବେ ତାଙ୍କର କାର୍ଯ୍ୟକାଳ ବେଶ ଉଲ୍ଲେଖନୀୟ ଥିଲା । ସେ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ବୋଲି ମୋର ଦୃଢ ବିଶ୍ବାସ । କୋଟି କୋଟି ଲୋକ ଯେଉଁମାନେ ଦାରିଦ୍ର୍ୟ ମଧ୍ୟରେ ବଢିଛନ୍ତି ଓ କଠିନ ପରିସ୍ଥିତିର ସାମନା କରିଛନ୍ତି, ସେମାନେ ଦ୍ରୌପଦୀ ମୁର୍ମୁଙ୍କ ଜୀବନ କାହାଣୀରୁ ପ୍ରେରଣା ଓ ଶକ୍ତି ପାଆନ୍ତି । ଶାସନ ସମ୍ପର୍କରେ ତାଙ୍କର ଅଭିଜ୍ଞତା ଆମ ଦେଶ ପାଇଁ ବେଶ ଲାଭକାରୀ ହେବ ।