୬୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ : ୩ ଗିରଫ

ଭୁବନେଶ୍ଵର, ୧୭/୧୦ : କମିଶନରେଟ୍ ପୋଲିସକୁ ନିଶାକାରବାର ମାମଲାରେ ବଡ଼ ସଫଳତା ମିଳିଛି । ଜଟଣୀ ଅଞ୍ଚଳରେ ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଗିରଫ ହୋଇଛନ୍ତି । ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବେ । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଅଭିଯୁକ୍ତମାନେ ହେଲେ ଲୀନା ଓରଫ୍ ଅନୀତା ପୁରମଗୁରୁ, ରାଜା ଓରଫ୍ ରାଜେନ୍ଦ୍ର କୁମାର ସାହୁ ଓ ଶିବ ପ୍ରସାଦ ଦାସ । ଅନୀତାର ଘର ଖୋର୍ଦ୍ଧା ହୋଇଥିବାବେଳେ ରାଜା ଓ ଶିବର ଘର ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ହୋଇଥିବା ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି । ଦାମୀ କାର୍‌ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଧରିଛି । ସେମାନଙ୍କ ନିକଟରୁ ୨ଟି ଦାମୀ ଗାଡ଼ି, ନଗଦ ୫ ଲକ୍ଷ ୧୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ମଧ୍ୟସ୍ଥି ଭାବେ କାମ କରୁଥିଲେ । ସେମାନେ କେଉଁଠୁ ବ୍ରାଉନସୁଗାର ଆଣୁଥିଲେ ଏବଂ କାହାକୁ ଦେଉଥିଲେ, ତଦନ୍ତ ଚାଲୁଥିବାରୁ ସବିଶେଷ ତଥ୍ୟ ଦେବାକୁ କମିଶନର ମନା କରିଥିଲେ । ରାଜଧାନୀ ଭୁବନେଶ୍ୱର ଏବଂ ତାର ଉପକଣ୍ଠରେ ହେଉଥିବା ନିଶାକାରବାରକୁ ରୋକିବାରେ ଏହା ସାହାଯ୍ୟ କରିବ ବୋଲି ପୋଲିସ କମିଶନର କହିଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନର ଯୁବପୀଢ଼ି ଓ ଛୋଟ ଛୋଟ ଦୋକାନକୁ ହେଉଥିବା ସପ୍ଲାଏ ରୋକାଯାଇପାରିବ ।

 

SBI_Festive_Digital Billboard