ମୁମ୍ବାଇ: ୧୦୦ କୋଟି ଟଙ୍କା ଲାଞ୍ଚ ଭଳି ଆର୍ଥିକ ଦୁର୍ନୀତି ସହ ସମ୍ପୃକ୍ତ ରାଜନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କର ଦୁଇଜଣ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡ୍ରିଙ୍ଗ୍ ଆକ୍ଟ୍’ ଅନୁଯାୟୀ ପ୍ରାୟ ୯ ଘଣ୍ଟା ଜେରା କରିବା ପରେ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡେ ଏବଂ ବ୍ୟକ୍ତିଗତ ସହଯୋଗୀ କୁନ୍ଦନ ସିନ୍ଧେଙ୍କୁ ଗିରଫ କରାଯାଇଛି।
କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ମୁମ୍ବାଇସ୍ଥିତ ବାଲାର୍ଡ ଇଷ୍ଟେଟ୍ରେ ଥିବା କାର୍ଯ୍ୟାଳୟରେ ଜେରା ବେଳେ ଦୁହେଁ ସହଯୋଗ କରି ନ ଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଆଜି ସେମାନଙ୍କୁ ‘ପିଏମ୍ଏଲ୍ଏ’ର ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ। ଏହା ବ୍ୟତିରେକେ, ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ଅନୀଲ ଦେଶମୁଖଙ୍କୁ ଆଜି ୧୧ଟା ବେଳେ ହାଜର ହେବାକୁ ସମନ୍ ଜାରି କରିଛି। ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ ଦେଶମୁଖଙ୍କ ଘରେ ଚଢ଼ାଉ କରିଥିଲା।
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରାୟ ୧୨ଜଣ ବାର୍ ମାଲିକଙ୍କ ଠାରୁ ଅଳ୍ପ କିଛି ମାସ ତଳେ ପୂର୍ବତନ ସହକାରୀ ଇନ୍ସ୍ପେକ୍ଟର୍ ସଚିନ ୱାଜେଙ୍କଦ୍ବାରା ୪ କୋଟି ଆଦାୟ ହୋଇଥିବା କଥା ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ପ୍ରମାଣ ପାଇଛନ୍ତି।