ଭୁବନେଶ୍ୱର, ୧୪/୦୫ : ସାରା ଦେଶରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଏବଂ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ବଡ଼ ପଦକ୍ଷେପ ନେଇଛନ୍ତି। SIR ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହି ପର୍ଯ୍ୟାୟରେ ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ର ଶାସିତ ଅଞ୍ଚଳ ସାମିଲ ହେବେ। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ଜନଗଣନା ପାଇଁ ଚାଲିଥିବା ‘ହାଉସ୍ ଲିଷ୍ଟିଂ’ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ତୃତୀୟ ପର୍ଯ୍ୟାୟର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ଏହି ପର୍ଯ୍ୟାୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ପଞ୍ଜାବ ଏବଂ ଦିଲ୍ଲୀ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଗୁଡ଼ିକରେ କାମ ଆରମ୍ଭ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଭୋଟର ତାଲିକାରୁ ତ୍ରୁଟି ଦୂର କରିବା ଏବଂ ନିର୍ବାଚନ ପ୍ରକ୍ରିୟା ଉପରେ ଜନସାଧାରଣଙ୍କ ଭରସାକୁ ଅଧିକ ମଜବୁତ କରିବା।
ଏହି ବୃହତ ଅଭିଯାନକୁ ସଫଳ କରିବା ପାଇଁ ନିର୍ବାଚନ କମିଶନ ଏକ ବଡ଼ ଟିମ୍ ମୁତୟନ କରିଛନ୍ତି।ପ୍ରାୟ ୩.୯୪ ଲକ୍ଷ ବୁଥ୍ ଲେଭଲ୍ ଅଫିସର (BLO) ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ।ଏହି ପର୍ଯ୍ୟାୟରେ ପ୍ରାୟ ୩୬.୭୩ କୋଟି ମତଦାତାଙ୍କ ଭେରିଫିକେସନ କରାଯିବ।ରାଜନୈତିକ ଦଳଙ୍କ ପକ୍ଷରୁ ନିଯୁକ୍ତ ୩.୪୨ ଲକ୍ଷ ବୁଥ୍ ଲେଭଲ୍ ଏଜେଣ୍ଟ (BLA) ମଧ୍ୟ ଏହି କାମରେ ସହଯୋଗ କରିବେ।ପୁନଃନିରୀକ୍ଷଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରିବା ପାଇଁ କମିଶନ ସମସ୍ତ ରାଜନୈତିକ ଦଳଙ୍କୁ ପ୍ରତି ମତଦାନ କେନ୍ଦ୍ରରେ ନିଜ ନିଜର ଏଜେଣ୍ଟ (BLA) ନିଯୁକ୍ତ କରିବାକୁ ନିବେଦନ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ କେବଳ ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ ଛାଡ଼ି ସାରା ଦେଶରେ SIR କାମ ଶେଷ ହୋଇଯିବ। ପାଣିପାଗ ଏବଂ ଭୌଗୋଳିକ ସ୍ଥିତି (ବରଫପାତ) କାରଣରୁ ଏହି ତିନୋଟି ଅଞ୍ଚଳ ପାଇଁ କମିଶନ ପରେ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ଜାରି କରିବେ। ପୂର୍ବରୁ ଅନୁଷ୍ଠିତ ଦୁଇଟି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ ୫୯ କୋଟି ଭୋଟରଙ୍କ ତାଲିକା ପୁନଃନିରୀକ୍ଷଣ କରାଯାଇ ସାରିଛି। ଏବେ ତୃତୀୟ ପର୍ଯ୍ୟାୟରେ ବାକି ରହିଥିବା ଭୋଟରଙ୍କୁ ସାମିଲ କରାଯାଇ ତାଲିକାକୁ ସମ୍ପୂର୍ଣ୍ଣ ସଠିକ୍ କରାଯିବାର ଯୋଜନା ରହିଛି।