ନୂଆଦିଲ୍ଲୀ, ୦୩/୦୩ : ହୋଲିର ଉତ୍ସବ ପରେ ନିର୍ବାଚନ ଆୟୋଗ ମାର୍ଚ୍ଚ ମଧ୍ୟ ସୁଦ୍ଧା ରାଜ୍ୟଗୁଡିକରେ ନିର୍ବାଚନର ପ୍ରକ୍ରିୟା ଆରମ୍ଭ କରିପାରେ । ପଶ୍ଚିମବଙ୍ଗରେ ସଂପ୍ରତି ଏସଆଇଆର ପ୍ରକ୍ରିୟା ଚାଲିଛି ଏବଂ ଏହାକୁ ନେଇ ବିବାଦ ଜାରି ରହିଛି । ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ନିର୍ବାଚନ କରାଯାଇପାରେ । ଏହାର ଘୋଷଣା ମାର୍ଚ୍ଚ ମଧ୍ୟ ସୁଦ୍ଧା ହୋଇପାରେ । ଏହା ପରେ କେରଳ ଓ ପଶ୍ଚିମବଙ୍ଗରେ ନିର୍ବାଚନ କରାଯାଇପାରେ । ପଶ୍ଚିମବଙ୍ଗରେ ୫ରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ । ଏହି ରାଜ୍ୟରେ ସର୍ବଦା ନିର୍ବାଚନୀ ହିଂସା ହେବାର ଆଶଙ୍କା ରହିଥାଏ । ତେଣୁ ଏଥର ନିର୍ବାଚନରେ ମଧ୍ୟ ଅଧିକ ପର୍ଯ୍ୟାୟରେ ଭୋଟିଂ ହୋଇପାରେ । ୨୦୨୧ରେ ଏହି ରାଜ୍ୟରେ ୮ ରାଉଣ୍ଡରେ ଭୋଟିଂ ହୋଇଥିଲା । କାରଣ ୨୦୨୧ରେ କରୋନାର ପ୍ରକୋପ ଥିଲା ଏବଂ ସୁରକ୍ଷାବଳଙ୍କୁ ଗତିବିଧି ପାଇଁ କଷ୍ଟକର ଥିଲା । ତେଣୁ ଅଧିକ ରାଉଣ୍ଡରେ ଭୋଟିଂ ହୋଇଥିଲା । କିନ୍ତୁ ଏଥର କିଛି ରାଉଣ୍ଡ କମ ହୋଇପାରେ । ଅନ୍ୟପଟେ ୫ ରାଉଣ୍ଡରେ ବି ଭୋଟିଂ ସମ୍ଭବ ନୁହେଁ । ୨୦୧୬ ନିର୍ବାଚନରେ ୬ ରାଉଣ୍ଡରେ ଭୋଟିଂ ହୋଇଥିଲା । ପୁଣି ଏଥର ଏସଆଇଆରକୁ ନେଇ ରାଜ୍ୟରେ ସ୍ଥିତି ଉତ୍ତେଜନାମୂଳକ ରହିଛି । ତେଣୁ ନିର୍ବାଚନ ଆୟୋଗ ସୁରକ୍ଷାରେ କୌଣସି ପ୍ରକାରର ତ୍ରୁଟି କରିବାକୁ ଚାହୁଁ ନାହାନ୍ତି । ତେଣୁ ୭ ରାଉଣ୍ଡରେ ଭୋଟିଂ ହେବାର ସମ୍ଭାବନା ଅଧିକ ରହିଛି । ମାର୍ଚ୍ଚ ଶେଷ ସୁଦ୍ଧା ପଶ୍ଚିମବଙ୍ଗରେ କୌଣସି ସମୟରେ ତାରିଖ ଘୋଷଣା ହୋଇପାରେ । ଦେଶର ୫ ରାଜ୍ୟରେ ନିର୍ବାଚନ ହେବାର ଅଛି । ପୁଣି ୧୦ ରାଜ୍ୟର ୩୭ ବିଧାନସଭା ସିଟରେ ଉପନିର୍ବାଚନ କରିବାର ଅଛି । ତାମିଲନାଡୁରେ ମେ ୧୦ ସୁଦ୍ଧା ନୂଆ ସରକାର ଗଠନ ହେବାର ଅଛି । ଏହି ସମୟ ସୀମା ଆସାମ ପାଇଁ ମଧ୍ୟ ରହିଛି । ଏଠାରେ ମେ ୨୦ ସୁଦ୍ଧା ନୂଆ ସରକାର ଶପଥ ନେବାର ଅଛି । ଏହି ଦୃଷ୍ଟିରୁ ନିର୍ବାଚନ ଆୟୋଗଙ୍କ ପାଇଁ ସମସ୍ତ ୫ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ । ମାତ୍ର ପଶ୍ଚିମବଙ୍ଗରେ ଏସଆଇଆର କାରଣରୁ ନିର୍ବାଚନରେ କିଛିଟା ବିଳମ୍ବ ଘଟିପାରେ ।