ଭୁବନେଶ୍ୱର : ଯାଜପୁର ଜିଲ୍ଳାରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ନିକଟରେ ଥିବା ବିଦ୍ୟୁତ ଲାଇନ ଓ ଟ୍ରାନ୍ସଫରମରକୁ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି ଶକ୍ତିମନ୍ତ୍ରୀ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ଗତ ଅମ୍ପନ ବାତ୍ୟାରେ କ୍ଷତିଗ୍ରସ୍ତ ଯାଜପୁର ଜିଲ୍ଲାର ବିଦ୍ୟୁତ ସେବାକୁ ସ୍ୱଭାବିକ କରିବା ନେଇ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିବା ଅବସରରେ ଗୁରୁବାର ସେ ଏହା କହିଛନ୍ତି।
ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ଶ୍ରୀ ମିଶ୍ର କହିଛନ୍ତି, ବର୍ତମାନ ସୁଦ୍ଧା ଓଡ଼ିଶା ବଣ୍ଟନ ବ୍ୟବସ୍ଥା ସୁଦୃଢୀକରଣ ଯୋଜନାରେ ୭ଟି ୩୩କେଭି ସବଷ୍ଟେସନକୁ କାର୍ଯ୍ୟକ୍ଷମ କରାଯାଇଛି। ବାକିଥିବା ୧୧ଟି ସବଷ୍ଟେସନକୁ ତୁରନ୍ତ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକୁ ହାତକୁ ନେବାକୁ ଓପିଟିସିଏଲକୁ ନିର୍ଦ୍ଦେଶ ଦେଇଛନ୍ତି।
ହାତୀ କରିଡର ଗୁଡିକର ବିଦ୍ୟୁତ ଲାଇନ କାର୍ଯ୍ୟକୁ ସୁଦୃଢ କରି ୪ର୍ଥ ପର୍ଯ୍ୟାୟ କାର୍ଯ୍ୟକୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରିବାକୁ ବିଧାୟକ ପ୍ରଣବ ପ୍ରକାଶ ଦାସ ପରାମର୍ଶ ଦେଇଥିଲେ। ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଓପିଟିସିଏଲ ଓ ଗ୍ରୀଡକୋ ଅଧ୍ୟକ୍ଷ ଡ. ସୌରଭ ଗର୍ଗ ଓ ନେସକୋ ଏବଂ ଓପିଟିସିଏଲର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
