ଭୁବନେଶ୍ୱର,୨୬/୭ : (ପ୍ରଦୀପ୍ତ କୁମାର ଦାସ) – ସମ୍ପ୍ରତ୍ତି ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ତଥା ଡିଜିପି ଚୟନ ପ୍ରକ୍ରିୟା ଆଗାମୀ କିଛି ଦିନ ମଧ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି।ରାଜ୍ୟ ପୋଲିସ ପ୍ରଶାସନର ଏହିଗୁରୁତ୍ୱପୂର୍ଣ୍ଣ ଓ ଶୀର୍ଷ ପଦବୀ ପାଇଁ ଚାଲିଥିବା କଳ୍ପନା-ଜଳ୍ପନା,ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟାର ସଦ୍ୟ ସ୍ଥିତି କ୍ରମରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ(ପ୍ରକାଶ ସିଂ ବନାମ କେନ୍ଦ୍ର ସରକାରଙ୍କ ମାମଲା) ଅନୁଯାୟୀ ରାଜ୍ୟରେ ନୂତନ ଡିଜିପି ପଦ ଚୟନ ପାଇଁ ଇତିମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ପ୍ରକ୍ରିୟା ଜାରି ରହିଛି।ତଦନୁଯାୟୀ ଚୟନ ତାଲିକାରେ ଅତି କମରେ ୩୦ ବର୍ଷର ସେବା ପୂରଣ କରିଥିବା ବରିଷ୍ଠ ଆଇପିଏସ ଅଫିସରମାନଙ୍କ ନାମ ଓ ସେମାନଙ୍କ କାର୍ଯ୍ୟାବଳୀର ବିବରଣୀ ତଥା ସିଡିଆର କେନ୍ଦ୍ର ଲୋକସେବା ଆୟୋଗ ତଥା ୟୁପିଏସସି ପାଖକୁ ପଠାଯାଇସାରିଛି।
ତେବେ ୟୁପିଏସସି ସ୍କ୍ରିନିଂ ଅନୁଯାୟୀ କେନ୍ଦ୍ର ଲୋକସେବା ଆୟୋଗଙ୍କ ଅଧ୍ୟକ୍ଷ,କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରତିନିଧି,ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ବର୍ତ୍ତମାନର ଡିଜିପିଙ୍କୁ ନେଇ ଗଠିତ ଏମ୍ପାନେଲ କମିଟି ଏହି ନାମଗୁଡ଼ିକର ସୂଚୀ ସମୀକ୍ଷା କରିଥିବା ଜଣାପଡ଼ିଛି।ସେହି ମୁତାବକ ସେଠାକୁ ପୂର୍ବରୁ ପଠାଯାଇଥିବା ରାଜ୍ୟର ୧୧ ଜଣିଆ ତାଲିକାରେ ଥିବା ସମସ୍ତ ଯୋଗ୍ୟ ଅଫିସରଙ୍କ ମଧ୍ୟରୁ ସେବା କାଳ,ଯୋଗ୍ୟତା, ବରିଷ୍ଠତା ଓ ଦକ୍ଷତା ଆଧାରରେ ଆସନ୍ତା ୭ ତାରିଖରେ ଉପୋରକ୍ତ କମିଟିର ସଦସ୍ୟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।
ତେବେ ଉକ୍ତ ତାଲିକାରେ ଥିବା ରାଜ୍ୟ କ୍ୟାଡରର ମୋଟ ୧୧ ଜଣ ଆଇପିଏସ ଅଧିକାରୀଙ୍କ ମଧ୍ୟରୁ ତର୍ଜମା କରାଯାଇ ୩ ଜଣ ଶୀର୍ଷ ବରିଷ୍ଠ ଅଧିକାରୀଙ୍କ ନାମକୁ ବାଛିବା ପରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ।ଏହି ରେସରେ ଥିବା ପ୍ରମୁଖ ବରିଷ୍ଠ ଆଇପିଏସ ଅଧିକାରୀ ମାନଙ୍କ ସମ୍ପର୍କରେ ବର୍ତ୍ତମାନର ଆଲୋଚନା ଏବଂ ବରିଷ୍ଠତା ଅନୁଯାୟୀ ୩ ଜଣ ସର୍ବ ବରିଷ୍ଠ ଅଫିସରଙ୍କ ନାମ ସବୁଠାରୁ ଆଗରେ ରହିଥିବା କୁହାଯାଉଛି। ସେମାନଙ୍କର ବର୍ତ୍ତମାନର ପଦବୀର ସ୍ଥିତି ଓ ଦାୟିତ୍ୱ ସହ ବିଶେଷତା ଓ ଦକ୍ଷତା ଅନୁଯାୟୀ ସର୍ବାଗ୍ରେ ଅଛନ୍ତି ସୁଧାଂଶୁ ଷଡ଼ଙ୍ଗୀ। ୧୯୯୦ ବ୍ୟାଚର ଏହି ଆଇପିଏସ ଅଧିକାରୀ ଏବେ ଅଗ୍ନିଶମ ଓ ଗୃହରକ୍ଷୀ ବିଭାଗର ଡିଜି ଭାବେ ଦାୟିତ୍ୱ ନିଭାଇ ଆସୁଛନ୍ତି।

ଏହି ଚୟନ ଦୌଡ଼ରେ ସେ ସର୍ବାଗ୍ରେ ରହିଥିବା ଚର୍ଚ୍ଚା ହେଉଛି।କାରଣ ତାଙ୍କର ଉଚ୍ଚ ଶିକ୍ଷାଗତ ଯୋଗ୍ୟତା, ପ୍ରଶାସନିକ ଦକ୍ଷତା,କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ପୂର୍ବତନ କମିଶନର ଭାବେ ସଫଳତାର ସହ କର୍ତ୍ତବ୍ୟତୁଲାଇଥିବାର ଅଭିଜ୍ଞତା,ଦୃଢ଼ ନେତୃତ୍ୱ ଏବଂ ଓଡ଼ିଆ ଭାଷା ଅସ୍ମିତା ସହ ନିବିଡ଼ ଯୋଡ଼ିପଣ ତାଙ୍କୁ ଏହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି।ତାଙ୍କ ପରେ ରହିଥିବା ସୁଶାନ୍ତ କୁମାର ନାଥ ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ।ସେ ଏବେ ରାଜ୍ୟ ଜେଲ ବିଭାଗର ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି।ଏହା ବ୍ୟତୀତ ସେ ରାଜ୍ୟ ପୋଲିସ ନିଯୁକ୍ତି ବୋର୍ଡ଼ର ଅଧକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି।ଦୀର୍ଘ ଦିନର ପୋଲିସ ସେବା,ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି।ମାତ୍ର ଅତୀତରେ ନିଜ ବିଭାଗରେ ଘଟିଯାଇଥିବା କେତେକ ଆପତ୍ତି ଜନକ ଘଟଣା, ଅନିୟମିତତା ଓ କେଳେଙ୍କାରୀ ଅଭିଯୋଗ କାରଣରୁ ସେ ବିବାଦୀୟ ହୋଇ ରହିଥିବା ଆଲୋଚନା ହେଉଥିବାରୁ ତାଙ୍କ କ୍ଷେତ୍ରରେ ଏହି ଆଶା କ୍ଷୀଣ ବୋଲି ଚର୍ଚ୍ଚା ହେଉଛି।
ସେହିପରି ତାଙ୍କ ପରେ ଅଛନ୍ତି ଆର.ପି.କୋଚେ।ସେ ମଧ୍ୟ ୧୯୯୩ ମସିହାର ବରିଷ୍ଠ ଆଇପିଏସ |ଆଇନ ଶୃଙ୍ଖଳା ରକ୍ଷା ଓ ପ୍ରଶାସନିକ ପରିଚାଳନାରେ ତାଙ୍କର ରହିଛି ଦୀର୍ଘ ବର୍ଷର ଅଭିଜ୍ଞତା।ହେଲେ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ରହିବାର ମୁଖ୍ୟ କାରଣଗୁଡ଼ିକ ହେଲା ପ୍ରଶାସନିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମକୁ ନେଇ ସମ୍ଭାବନା ଅଧିକ ଦେଖାଯାଉଛି।ଏହାର ପ୍ରମୁଖ କାରଣଗୁଡ଼ିକ ହେଲା ତାଙ୍କର ବରିଷ୍ଠତା ଓ ଯୋଗ୍ୟତାକୁ ଦେଖିଲେ ୧୯୯୦ ବ୍ୟାଚର ଆଇପିଏସ ଅଫିସର ଭାବେ ତାଙ୍କର ଦୀର୍ଘ ୩୫ ବର୍ଷର ଚାକିରି କାଳ ସହ ସୁଦୂରପ୍ରସାରି ଅଭିଜ୍ଞତା। ଅନ୍ୟ ଦୁଇ ଦାବିଦାର ଶ୍ରୀ ନାଥଙ୍କ ଚାକିରୀ କାର୍ଯ୍ୟକାଳ ୩୨ ବର୍ଷ ହୋଇଥିବା ବେଳେ ଶ୍ରୀ କୋଚେ ୩୩ ବର୍ଷ ଚାକିରୀ କାଳ କାଟିସାରିଛନ୍ତି।
ତେବେ ଏହି ଦୁଇ ଦାବିଦାରଙ୍କ ତୁଳନାରେ ସୁଧାଂଶୁଙ୍କ କ୍ୟାରିଅରର ମହତ୍ୱ ଅଧିକ ରହିଛି ବୋଲି କୁହାଯାଉଛି।ଏଥିସହ ତାଙ୍କର ନିର୍ମଳଭାବମୂର୍ତ୍ତି ଓ କାର୍ଯ୍ୟଦକ୍ଷତା ରାଜ୍ୟରେ ଅପରାଧ ନିୟନ୍ତ୍ରଣ,ସାଇବର ସୁରକ୍ଷା,ଏବଂ ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀ କମିଶନରେଟ୍ ପୋଲିସର ମୁଖିଆ ପଦବୀ ତୁଲାଇଥିବାର ବିଶେଷତ୍ୱ ଆଦି ସହ ପୂର୍ବରୁ ସେ ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଦାୟିତ୍ୱ ମଧ୍ୟ ସଂପାଦନ କରିଛନ୍ତି।ଓଡ଼ିଶାର ସଂସ୍କୃତି ଓ ଓଡ଼ିଆ ଅସ୍ମିତା ଉପରେ ନଜର ଦେଲେ ରାଜ୍ୟର ଜଣେ ସ୍ୱାଭିମାନୀ ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସର ଭାବେ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା,ରାଜନୈତିକ ରୁଷ୍ଟିକୋଣ ସହ ଜନ ସମ୍ପର୍କ ଏବଂ ପ୍ରଶାସନିକ ସ୍ଥିତି ବିଷୟରେ ତାଙ୍କର ଭଲ ଅଭିଜ୍ଞତା ଓ ପରିଚିତି ମଧ୍ୟ ରହିଛି।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆସ୍ଥାଭାଜନ ହେବା ଦୃଷ୍ଟିକୋଣରୁ ବିବେଚନା କଲେ ତାଙ୍କର ନିରପେକ୍ଷତା ଏବଂ ନିୟମାନୁଗତ କାର୍ଯ୍ୟଶୈଳୀ ଯୋଗୁଁ ତାଙ୍କ ନାମ ଉପରେ ସହମତି ପ୍ରକାଶ ପାଇବା ଅଧିକ ପସନ୍ଦଯୋଗ୍ୟ ହେବ ବୋଲି ପ୍ରଶାସନିକ ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଛି।ଏହି କ୍ରମରେ ଆଗାମୀ ୨୦୨୭ ରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚୁଡ଼ାନ୍ତ ନିଷ୍ପତ୍ତି ଉପରେ ବେଶ ଗୁରୁତ୍ୱାରୋପ କରାଯାଉଛି।
ତେବେ ଉକ୍ତ ଚୂଡ଼ାନ୍ତ ତାଲିକାଭୁକ୍ତ ହେବାକୁ ଯାଉଥିବା ଏହି ୩ ଜଣିଆ ନାମ ସୁପାରିଶ ପତ୍ର ଅଗଷ୍ଟ ୭ ତାରିଖରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଗୃହ ବିଭାଗ ପାଖରେ ପହଞ୍ଚିବା ପରେ ଏହାକୁ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ। ସେଠାରେ ଏହା ଉପରେ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରି ମୋହର ମାରିବେ।ଏହି ମର୍ମରେ ଆସନ୍ତା ମାସ ୧୬ ତାରିଖ ପୂର୍ବରୁ କିମ୍ବା ସେହି ଦିନ ନୂତନ ଡିଜିପିଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ପାୱାର କରିଡର ଓ ରାଜନୈତିକ ମହଲରେ ଗତ କିଛି ଦିନ ହେଲା ବେଶ ଆଲୋଚନା ହେଉଥିବା ପ୍ରକାଶ
