ଦୀର୍ଘ ୮୦ ବର୍ଷ ପରେ ୧୨ଟି ପାହାଡ଼ି ଗାଁକୁ ମିଳିଲା ବିଜୁଳି

ନୂଆଦିଲ୍ଲୀ, ୧୭/୦୮ : ଦୀର୍ଘ ୮ ଦଶନ୍ଧି ପରେ ଦୁର୍ଗମ ତଥା ଅପହଞ୍ଚ ଗାଁକୁ ମିଳିଲା ବିଜୁଳି। ଗାଁରେ ବସିଲା ବିଦ୍ୟୁତ ଗ୍ରୀଡ୍। ଦେଶ ସ୍ବାଧୀନ ପରଠାରୁ କିରୋସିନ ଚାଳିତ ଲଣ୍ଠନ ଓ ସୌର ଲଣ୍ଠନ ଉପରେ ନିର୍ଭରଶୀଳ ଥିବା ଗାଁକୁ ଆଜି ଦୀର୍ଘ ୮୦ ବର୍ଷ ପରେ ମିଳିଛି ସ୍ଥାୟୀ ବିଜୁଳି। ଉତ୍ତରାଖଣ୍ଡର ଜୋହର ପାହାଡ଼ି ଇଲାକା ତଥା ଚୀନ-ଭାରତ ସୀମାନ୍ତବର୍ତ୍ତୀ ୧୨ଟି ଅପହଞ୍ଚ ତଥା ପାହାଡ଼ି ଗାଁକୁ ଯୋଗାଣ କରାଯାଇଛି ବିଦ୍ୟୁତ ଶକ୍ତି। ସ୍ଥାନୀୟ ଅଧିବାସୀ ଓ ଆଇଟିବିପି ଯବାନଙ୍କ ସହାୟତାରେ ଏଠାରେ ବିଦ୍ୟୁତ ଗ୍ରୀଡ୍ ସ୍ଥାପନ କରାଯାଇଛି। ଅତ୍ୟଧିକ ଉଚ୍ଚ ଓ ପାହାଡ଼ି ଇଲାକା ହୋଇଥିବାରୁ ଏଠାକୁ ବିଜୁଳି ସଂଯୋଗ କଷ୍ଟକର ବ୍ୟାପାର ହୋଇଥିଲା। କିନ୍ତୁ ବହୁବାର ଅନୁରୋଧ ଅଭିଯୋଗ ପରେ ଏଠାକୁ ବିଦ୍ୟୁତ ସଂଯୋଗ ପାଇଁ କର୍ଣ୍ଣପାତ କରିଛି ପ୍ରଶାସନ। ଉତ୍ତରାଖଣ୍ଡ ପାୱାର କର୍ପୋରେସନ୍ ଲିମିଟେଡ୍ ବା ୟୁପିସିଏଲ ପକ୍ଷରୁ ଏହି ୧୨ଟି ଗାଁକୁ ବିଦ୍ୟୁତ ଯୋଗାଣ କରାଯାଇଛି।

୨୧ କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପ ୬୧ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏଥିଯୋଗୁ ଜୋହରା ଘାଟିର ମିଲାମ୍, ଲାସପା, ମାର୍ତ୍ତୋଲି, ବିଲଜୁ, ବୁରଫୁ, ମାପା, ଟୋଲା, ଗାଙ୍ଘର, ପାଞ୍ଚୁ, ରାଇକୋଟ୍, ରାସଗଡ଼ି ଓ ବୁଗ୍ ଦିୟାର ଆଦି ଅଞ୍ଚଳର ଗ୍ରାମବାସୀ ବିଜୁଳି ସଂଯୋଗର ଲାଭ ଉଠାଇପାରିବେ। ତେବେ ୟୁପିସିଏଲ୍ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗତ ଜାନୁଆରୀ ୨୬ରୁ ଆରମ୍ଭ ହୋଇଥିଲା। ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସମସ୍ତ ୧୨ଟି ଗାଁକୁ ବିଦ୍ୟୁତ୍ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛି ୟୁପିସିଏଲ୍ । ତେବେ ଦୀର୍ଘ ୮ ଦଶନ୍ଧି ଧରି ଏଠାକାର ବାସିନ୍ଦା ଓ ଏଠାରେ ନିୟୋଜିତ । ଏବେ ବିଜୁଳି ସଂଯୋଗ ହୋଇଥିବାରୁ ଆଉ ତଳ ଉପର ହେବାକୁ ପଡ଼ିବ ନାହିଁ ବୋଲି ଗ୍ରାମବାସୀ କହିବା ସହ ଖୁସିବ୍ୟକ୍ତ କରିଛନ୍ତି।