ପିପିଲି,୨୬/୨ : ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିଛନ୍ତି । ପ୍ରିୟଙ୍କା ଅଗସ୍ତୀଙ୍କର ହାତ ଧରିଲେ ଦିବ୍ୟଶଙ୍କର। ପୁରୀ ଜିଲ୍ଲା ପିପିଲିର ଦି ଆଡଭେଞ୍ଚର କନଭେନସନରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାବେଳେ ଭୋଜିରେ କେବଳ ସମ୍ପର୍କୀୟ ଓ ଅତି ପାଖ ଲୋକ ସାମିଲ ହେବେ। ଯେଉଁମାନଙ୍କ ନିକଟରେ ପାସ ଅଛି ସେମାନଙ୍କୁ ବିବାହ ଭୋଜିକୁ ଛଡ଼ାଯିବାକୁ ଅନୁମତି ରହିଛି।
ସୂଚନା ଅନୁଯାୟୀ ଏହି ବାହାଘରରେ କନ୍ୟାଘରର ୨୮ ଜଣ ଓ ବରଘରର ୩୨ଜଣ ସାମିଲ ହୋଇଥିଲେ । କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା, ଯାହା ଏବେ ସତ ହୋଇଛି । ତେବେ ଏହା ହେଉଛି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ସେ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଦିବ୍ୟଶଙ୍କରଙ୍କର ପୁଅ ବି ଅଛନ୍ତି। ସେ ଲଣ୍ଡନରେ ଥିବା ଜଣାଯାଇଛି। ଏଣେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ଆଗରୁ ସେ ମାନସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କର ପରେ ଛାଡ଼ପତ୍ର ହୋଇଥିଲା।
