ବଲାଙ୍ଗୀର : ନକଲି ସାର୍ଟିଫିକେଟ ଘଟଣାର ଖୋଳତାଡ଼ କରିବା ପାଇଁ ଗତ ୧ ତାରିଖରେ ବଲାଙ୍ଗୀର ଆସିଥିଲେ କ୍ରାଇମ୍ବ୍ରାଞ୍ଚ୍ ଟିମ୍। ପନ୍ଦର ଦିନ ଧରି ବଲାଙ୍ଗୀରରେ ଡେରା ପକାଇଥିବା କ୍ରାଇମ୍ବ୍ରାଞ୍ଚ୍ ବଲାଙ୍ଗୀର ଛାଡ଼ିଥିବା ଜଣାପଡ଼ିଛି। ତେବେ, ଏହିଭଳି ଏକ ସ୍ପର୍ଶକାତର ଘଟଣାରେ କ୍ରାଇମବ୍ରାଞ୍ଚ ଯେଉଁଭଳି ତଦନ୍ତ କରିବା କଥା, କରନାହିଁ। ବରଂ, ତଦନ୍ତର ଫଳ ଶୂନ ବୋଲି ସାଧାରଣରେ ଆଲୋଚନା ହେଉଛି।
ପ୍ରଥମେ କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍ ଓ ପରେ ଆଇ.ଜି. ଆସି ଦୁଇଦିନ ଧରି ତଦନ୍ତ କରିଥିଲେ। ତା’ପରେ ଆଉ ଏକ ପାଞ୍ଚଜଣିଆ ଟିମ୍ ଆସିଥିଲେ। କ୍ରାଇମ୍ବ୍ରାଞ୍ଚ୍ ଟିମ୍ ସେମାନେ ରହୁଥିବା ଡାକବଙ୍ଗଳାରୁ ଟାଉନ ଥାନା, ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରକୁ ଯାଇ ତନାଘନା ସହ ତଦନ୍ତ କରୁଥିଲେ। ସାତ ଜଣଙ୍କୁ ଅଟକ ରଖି ପରେ ନୋଟିସ୍ ଦେଇ ଛାଡ଼ି ଦେଇଥିଲେ। ଏହି ଘଟଣାରେ ବାହାର ରାଜ୍ୟର ସମ୍ପୃକ୍ତି ଥିଲେ ମଧ୍ୟ କ୍ରାଇମ୍ବ୍ରାଞ୍ଚ୍ ବଲାଙ୍ଗୀର ସହର ଛାଡ଼ି ଯାଇନଥିଲେ।
ଏହାପରେ ପୁଲିସ ମାମଲା ରୁଜୁ କରିବାର ଚାରିଦିନ ଭିତରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦ୍ଗାତାଙ୍କ ସହିତ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍। ଏଥିସହିତ, ଅଭିଯୁକ୍ତ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରୁ ପୁଳାପୁଳା ନକଲି ସାର୍ଟିଫିକେଟ ଓ ମାର୍କସିଟ ଜବତ କରିଥିଲେ। ତେବେ, ୧୯ଜଣଙ୍କ ବ୍ୟତିରେକ ଆଉ କାହାରିକୁ ଗିରଫ କରିନଥିବା ବେଳେ ୧୫ଦିନ ପରେ ବଲାଙ୍ଗୀର ଛାଡ଼ିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍।
