ବାଇକ୍ ଉପରେ ଓଲଟିଲା ଟ୍ରକ୍‌ : ବାପ-ପୁଅଙ୍କ ମୃତ୍ୟୁ

0

ଖଲ୍ଲିକୋଟ,୨୭/୧୨ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ହରିଡ଼ାମୂଳ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍ ଉପରେ ଏକ ମାଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଛି।

ଟ୍ରକ୍‌ଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଟ୍ରକ୍ ଡ୍ରାଇଭରଙ୍କର କିଛି ହୋଇନଥିଲା। ସେ ସୁରକ୍ଷିତ ଭାବେ ଟ୍ରକ୍‌ରୁ ବାହାରି ଆସିଥିଲେ। ସେହି ଟ୍ରକ୍‌ରେ ତମାଖୁ ବୋଝେଇ ହୋଇଥିଲା। ଟ୍ରକ୍‌ଟି ଓଲଟି ପଡ଼ିବା ପରେ ତମାଖୁ ବସ୍ତା ଗୁଡ଼ିକ ରାସ୍ତା କଡ଼ରେ ଗଦା ହୋଇଯାଇଥିଲା। ତେବେ ସେହି ତମାଖୁ ବସ୍ତା ଗଦା ତଳେ ଏକ ବାଇକ୍ ଓ ଦୁଇ ଜଣ ବ୍ୟକ୍ତି ଚାପି ହୋଇଯାଇଥିଲେ ବୋଲି ଟ୍ରକ୍ ଡ୍ରାଇଭର ଜାଣି ନଥିବା କହିଛନ୍ତି। ତାଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣା ଘଟିବା ବେଳେ ଉକ୍ତ ସ୍ଥାନରେ ଘନ କୁହୁଡ଼ି ପଡ଼ିଥିଲା।

ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା। କିନ୍ତୁ ଅଧିକ ଯାଞ୍ଚ କରିବା ପାଇଁ ତତ୍ପରତା ଦେଖାଇ ନଥିଲା। ପରେ ଏହି ଟ୍ରକ୍‌ରେ ଯେଉଁ ବ୍ୟବସାୟୀଙ୍କ ତମାଖୁ ଯାଉଥିଲା, ସେ କିଛି ଶ୍ରମିକଙ୍କୁ ଉକ୍ତ ବସ୍ତା ଗୁଡ଼ିକୁ ଉଠାଇବା ପାଇଁ ପଠାଇଥିଲେ। ଉକ୍ତ ଶ୍ରମିକମାନେ ତମାଖୁ ବସ୍ତା ଗୁଡ଼ିକୁ ଉଠାଉଥିବା ବେଳେ ଏକ ବାଇକ୍ ଦେଖିଥିଲେ। ତେଣୁ ସେଠାରେ ଉପସ୍ଥିତ ଲୋକଙ୍କର ସନ୍ଦେହ ହେଲା ଯେ ଅଲଗା କିଛି ଘଟିଛି। ତା’ପରେ ପୁଣି ବସ୍ତା ଉଠାଇଲା ବେଳେ ଏକ ମୃତଦେହ ମିଳିଲା। ଆଉ ସ୍ପଷ୍ଟ ହୋଇଗଲା ଯେ ବାଇକ୍ ଉପରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଏହା ପରେ ଅନ୍ୟ ଜଣଙ୍କ ମୃତଦେହ ମଧ୍ୟ ମିଳିଥିଲେ।

ମୃତକ ଦ୍ୱୟ ହେଉଛନ୍ତି ବାବୁଲା ପ୍ରଧାନ ଓ ତାଙ୍କ ପୁଅ। ସେମାନେ କୋଦଳା ଥାନା ଅନ୍ତର୍ଗତ ସମା ଗାଁର ବାସିନ୍ଦା ଥିଲେ। ସେମାନେ ମିସ୍ତ୍ରୀ କାମ କରୁଥିଲେ। ଆଜି କାମ କରିବାକୁ ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଅନ୍ୟପକ୍ଷରେ ଉକ୍ତ ଦୁର୍ଘଟଣା ସ୍ଥଳରେ ପରେ ଆଉ ଏକ ଟ୍ରକ୍ ଓଲଟି ପଡ଼ିଥିଲା। ପ୍ରଥମ ଦୁର୍ଘଟଣାରୁ ପ୍ରାୟ ଘଣ୍ଟାଏ ପରେ ଏହି ଦୁର୍ଘଟଣା ଘଟିଥିଲା। ଏକ କାର୍‌କୁ ଧକ୍କା ଦେଇ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

SBI AD
Leave A Reply

Your email address will not be published.