ଗ୍ରାଣ୍ଟ ଇନ୍ ଏଡ୍ ଶିକ୍ଷକଙ୍କୁ ସପ୍ତମ ବେତନ କମିଶନ

ଭୁବନେଶ୍ୱର,୨୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ଆଜି ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୨୧ ଡିସେମ୍ବର ୩୧ସୁଦ୍ଧା ଶତପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍ (ଅନୁଦାନ) ପାଉଥିବା ସମସ୍ତ ବେସରକାରୀ ହାଇସ୍କୁଲ, ମଇ ସ୍କୁଲ ଓ ମାଦ୍ରାସାର ଶିକ୍ଷକ ଓ କର୍ମଚାରୀମାନେ ଏଣିକି ସପ୍ତମ ବେତନ ହାରରେ ଦରମା ପାଇବେ । ୨୦୨୨ ଜାନୁୟାରୀ ପହିଲାରୁ ଏହି ବର୍ଦ୍ଧିତ ଦରମା ସେମାନଙ୍କୁ ମିଳିବ । ଏଥିରେ ପ୍ରାୟ ୨୬,୧୬୪ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ ତଥା ରାଜକୋଷରୁ ବାର୍ଷିକ ୨୮୦.୪୮କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବ ସମେତ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ସେହିପରି ମହିଳାଙ୍କୁ ଛତୁ, ଫୁଲ, ଆଳୁ, ପନିପରିବା ଓ ମସଲା ଆଦି ଚାଷ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ସରକାର ଗୋଟିଏ ୫ବର୍ଷିଆ ଓ ଗୋଟିଏ ୩ବର୍ଷିଆ ଯୋଜନାରେ ମୋଟ ପ୍ରାୟ ୧୫୦୦କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।

‘ଆଳୁ, ପନିପରିବା ଓ ମସଲା ଉନ୍ନୟନ ଯୋଜନା’ରେ ମହିଳା ଏସଏଚଜି, କୃଷକ ଉତ୍ପାଦନ ସଂଗଠନ ଓ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରୁ ୨୦୨୫-୨୬ ମସିହା ପର୍ଯ୍ୟନ୍ତ ୩ବର୍ଷ ନିମନ୍ତେ ମୋଟ ୧୧୪୨.୨୪କୋଟି ଟଙ୍କା ବ୍ୟୟ କରିବେ । ଏହାଦ୍ୱାରା ରାଜ୍ୟରେ ଆଳୁ, ପିଆଜ, ପନିପରିବା ଓ ମସଲା ଉତ୍ପାଦନ ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

SBI AD