କଟୁରୀରେ ହାଣି ୪ ବର୍ଷର ପୁଅକୁ ହତ୍ୟା କଲା ବାପା

ଭୁବନେଶ୍ୱର, ୧୬/୦୭ : ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ଘଟଣା । ବାପା ନିଜର ୪ ବର୍ଷର ପୁଅକୁ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଅଭାବନୀୟ ଘଟଣା ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ ଘଟିଛି । ମୃତ ନାବାଳକଙ୍କ ନାମ ଦୁମ୍ବି ସିଂ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ବାପା ସୋହନ ସିଂ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ କଟୁରୀରେ ପୁଅକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା । ଏତିକିରେ ଅଭିଯୁକ୍ତ ଅଟକି ନଥିଲା । ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ଘର ଭିତରେ ରଖି କବାଟ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଖବର ପାଇ ଶରତ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାର ଅଭିଯୁକ୍ତ ସୋହନ ସିଂଙ୍କୁ ଧରିବା ପାଇଁ ପୋଲିସ ତଲାସି ଜାରି ରଖିଛି । ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

SBI AD