ନୂଆଦିଲ୍ଲୀ, ୨୦/୦୭ : ଦକ୍ଷିଣ ଆମେରିକୀୟ ଦେଶ ଗୁଆନାରୁ ମିଳିଛି ଏକ ଦୁଃଖଦ ଘଟଣା । ମଝି ସମୁଦ୍ରରେ ୧୩୩ ଜଣଙ୍କୁ ନେଇ ଯାଉଥିବା ଏକ ଫେରୀ ଓଲଟି ପଡ଼ିଛି। ଅଧିକାରୀମାନେ ଦୁର୍ଘଟଣାର ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ଏପର୍ଯ୍ୟନ୍ତ ୬୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଖୋଜିବା ଜାରି ରହିଛି। ଦୁର୍ଘଟଣାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ୬୬ ଜଣ ନିଖୋଜ ଅଛନ୍ତି । ଫେରୀରେ ୧୧୬ ଜଣ ଯାତ୍ରୀ ଏବଂ ୧୭ ଜଣ କର୍ମଚାରୀ ଥିଲେ। ଫେରୀଟି ଏହାର ଓଜନ ଧାରଣ କ୍ଷମତା ମଧ୍ୟରେ ଥିଲା । ଏଥିରେ ୩୦୦ ରୁ ଅଧିକ ଯାତ୍ରୀ ଯିବା ପାଇଁ ଲାଇସେନ୍ସ ଥିଲା।ଗୁଆନାର ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସଙ୍କ ଦ୍ୱାରା ଜାରି ସୂଚନା ଅନୁଯାୟୀ, ବୁଡ଼ିଯାଇଥିବା ଫେରୀର ନାମ ‘ଏମ୍ଭି ବାରିମା’। ଫେରୀଟି ରାଜଧାନୀ ଜର୍ଜଟାଉନ୍ରୁ ଉତ୍ତର ଆଟଲାଣ୍ଟିକ୍ ଉପକୂଳ ଦେଇ ପୋର୍ଟ କାଇଟୁମାକୁ ଯାତ୍ରା କରୁଥିଲା। ଏହା ପୋମେରୁନ୍ ନଦୀ ନିକଟରେ ଓଲଟି ପଡ଼ିଥିଲା। ପିଏମ୍ ଫିଲିପ୍ସ କହିଛନ୍ତି,ଉଦ୍ଧାର ହୋଇଥିବା ୬୭ ଜଣଙ୍କ ମଧ୍ୟରେ ୧୫ ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ପୁଅ ଏବଂ ୯ ଜଣ ଝିଅ ଅଛନ୍ତି ଅନ୍ୟମାନଙ୍କ ମଧ୍ୟରେ ୪୧ ଜଣ ପୁରୁଷ ଏବଂ ୧୧ ଜଣ ମହିଳା ଅଛନ୍ତି। ନିଖୋଜ ଥିବା ୬୬ ଜଣଙ୍କର ସନ୍ଧାନ ଜାରି ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
