ଭୁବନେଶ୍ୱର : ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହେବ। ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ ରହିବ। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ। ତେବେ ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ ଦୀର୍ଘବର୍ଷ ହେଲା ପ୍ରତିବାଦ କରିଆସୁଥିବା ବେଳେ ଆଜି ଭୁବନେଶ୍ବର ଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ମଧ୍ୟ ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ଦୁଇମାସ ମତ୍ସଜୀବୀଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ଏବଂ କଟକଣାକୁ କଡ଼ାକଡ଼ି କରାଯିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମତ୍ସଜୀବୀ ସଂଘ ଦାବି କରିଥିଲେ। ବୈଠକରେ ଉପସ୍ଥିତ ଥିବା ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା ଉପରେ ଗୁରୁତ୍ବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଜିଲ୍ଲାରେ ୮୦ କିମି ଲମ୍ବର ସମୁଦ୍ର ବେଳାଭୂମି ଥିବା ବେଳେ ପ୍ରାୟ ୪୦ ହଜାରରୁ ଅଧିକ ଲୋକେ ମତ୍ସ୍ୟ ସମ୍ପଦ ଉପରେ ଜୀବିକା ଅର୍ଜନ କରିଆସୁଛନ୍ତି। ସମୁଦ୍ର ଉପକୂଳରେ ବାଲେଶ୍ବରର ୯ଟି ବ୍ଲକର ୨୨୭ରୁ ଊର୍ଦ୍ଧ୍ବ ଗାଁ ରହିଛି। ବଳରାମଗଡ଼ି, ବାହାବଳପୁର, ଗୋପାଳପୁର, ବାଲିଆପାଳ ଓ ଚନ୍ଦନେଶ୍ବର ଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ଏମ୍ଏୟୁ(ମେରାଇନ୍ ଏକ୍ସଟେନ୍ସନ ୟୁନିଟ୍) ରହିଥିବା ବେଳେ ଏହା ଅଧୀନରେ ୫୦୦ରୁ ଅଧିକ ଟ୍ରଲର, ୧୫୦ରୁ ଅଧିକ ଗିଲେଟିନ୍, ୬୫୦ରୁ ଅଧିକ ଭୁଟୁଭୁଟି ଏବଂ ୨୦୦ ପାଖାପାଖି ଦେଶୀଡଙ୍ଗା ସମୁଦ୍ରକୁ ମାଛ ଧରିବାକୁ ଯାଇଥାଏ।
ତେବେ ମାଛ ଉତ୍ପାଦନ ତଥା ଏହାର ବଂଶବୃଦ୍ଧି ପାଇଁ ଯେଉଁ କଟକଣା ଲାଗୁ କରାଯାଉଛି ଓଡ଼ିଶା ଉପକୂଳ ପାଇଁ ମାଛ ବଢ଼ିବାରେ ଉଚିତ ସମୟ ନୁହେଁ ବୋଲି ମତ୍ସଜୀବୀଙ୍କ ମତ। ଏହାକୁ ଅତିକମ୍ରେ ୩ ମାସ ପର୍ଯ୍ୟନ୍ତ ଲାଗୁ ହେଲେ ମାଛର ବଂଶବିସ୍ତାର ହେବା ସହିତ ଅଧିକ ଉତ୍ପାଦନ ହୁଅନ୍ତା। ଏହା ହେଲେ ମତ୍ସଜୀବୀ ବି ଅଧିକ ଲାଭବାନ୍ ହୋଇପାରନ୍ତେ।