ଇସଲାମାବାଦ: ପାକିସ୍ତାନରେ ଦରଦାମ୍ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଅନାହାର ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି ଯେ, ପ୍ରାୟ ଅଧା ପାକିସ୍ତାନୀ ପରିବାର ରୁଟି ଖଣ୍ଡିଏ ପାଇଁ ସଂଘର୍ଷ କରୁଛନ୍ତି। ସୂଚନା ମୁତାବକ, ରାୱଲପିଣ୍ଡିର ଖୋଲା ବଜାରରେ ଅଟା ଦର କିଲୋ ପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ସହରମାନଙ୍କରେ ୧୫ କିଲୋର ଗହମ ବ୍ୟାଗ ୨,୨୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ସବସିଡିଯୁକ୍ତ ଅଟାର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ସବସିଡିଯୁକ୍ତ ୨୫ କିଲୋଗ୍ରାମ ଅଟା ପ୍ୟାକେଟର ମୂଲ୍ୟ ପ୍ୟାକେଟ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି।
ପାକିସ୍ତାନରେ ଅଟା ଦର ବୃଦ୍ଧି ଯୋଗୁଁ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ସବସିଡିଯୁକ୍ତ ଅଟା ପ୍ୟାକେଟ ପାଇବାକୁ ଚେଷ୍ଟା କରୁଥିବା ବେଳେ ଦଳାଚକଟାରେ ସିନ୍ଧ ପ୍ରଦେଶରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। କିଛି ଲୋକ ଏକ ଗାଡ଼ିରେ ଅଟା ପ୍ୟାକେଟ୍ ନେଇ ସିନ୍ଧର ମିରପୁର ଖାସରେ ପହଞ୍ଚିଥିଲେ। କମ୍ ମୂଲ୍ୟରେ ଅଟା ପ୍ୟାକେଟ୍ ଘୋଷଣା ଶୁଣିବା ପରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ।
