ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼୍ଗେଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଶ୍ରୀ ରେଡ୍ଡୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରୁ ନିଜକୁ ଦୂରେଇ ରଖିଥିଲେ। ତେବେ ତାଙ୍କ ଇସ୍ତଫା ପରେ ଆନ୍ଧ୍ର ପ୍ରଦେଶ ରାଜନୀତିରେ ନାନା ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେ ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି।
ଉଲ୍ଲେଖଯୋଗ୍ୟ, ଆନ୍ଧ୍ର ପ୍ରଦେଶର ବିଭାଜନକୁ ବିରୋଧ କରି ସେ ୨୦୧୪ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ତାହା ପରେ ସେ ଏକ ନୂଆ ଦଳ ଗଠନ କରି ୨୦୧୪ ନିର୍ବାଚନରେ ପ୍ରାର୍ଥୀ ଦେଇଥିଲେ। କିନ୍ତୁ ସଫଳତା ନମିଳିବାରୁ ୨୦୧୮ରେ ପୁଣି କଂଗ୍ରେସରେ ଯୋଗ ଦେଇଥିଲେ।