ମହାକାଳପଡ଼ା : ୧୫ /୪ ସାଧାରଣତଃ ନୂତନ ପ୍ରକଳ୍ପ ଅବସ୍ଥାପନ ସ୍ଥଳୀର ଅଞ୍ଚଳବାସୀ ଲାଭାର୍ଥୀ ହେବାର ଆଶା ପୋଷଣ କରିଥାନ୍ତି । ଅଞ୍ଚଳ ବାସୀଙ୍କୁ ପ୍ରକଳ୍ପରେ ନିଯୁକ୍ତି ମିଳିବା ଓ କ୍ଷତିଗ୍ରସ୍ତ ଜମି ମାଲିକ ଙ୍କୁ ଉଚିତ ପ୍ରାପ୍ୟ ମିଳିଥାଏ । ମାତ୍ର ନିମାଲୀଗଡ଼ ପାରାଦ୍ୱୀପ -ସିଲିଗୁଡ଼ି ଗ୍ୟାସ ପାଇପ ଲାଇନ ପ୍ରକଳ୍ପ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ଯାହା ନେଇ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲ ଅଧୀନ କେୟାରବାଙ୍କ ଓ ପେଟଛେଲା ରାଜସ୍ୱ ସର୍କଲ ର କ୍ଷତିଗ୍ରସ୍ତ ଚାଷୀ ଉଚିତ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି । ରବିବାର କ୍ଷତି ଗ୍ରସ୍ତ ଚାଷୀ ଏକାଧିକ ଗାଁ ପରିକ୍ରମା କରିବା ସହିତ ବିଭିନ୍ନ ନାରାବାଜି ଦେଇ ରାଲିରେ ଆସି ସତ୍ୟ ନାରାୟଣ ପୀଠରେ ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ । ସଭାରେ ମଞ୍ଚ ର ସଭାପତି ଶଶିକାନ୍ତ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନ ର ଜିଲ୍ଲା ସଂଯୋଜକ ଅଂକୁର ପଲ୍ଲାଇ ଅତିଥି ଭାବେ ଯୋଗ ଦେଉଥିଲେ । ଗେଜେଟ ନୋଟିଫିକେସନ ପରେ ଜନ ଶୁଣାଳୀ ପରିବର୍ତ୍ତେ କାଗଜ କଲମରେ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ପ୍ରଶାସନ ପରୋକ୍ଷ ସହଯୋଗ ରେ ଅଗ୍ରସର ହେଉଛନ୍ତି । ଏପରିକି କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ ରେ ତାରତମ୍ୟ ରଖୁଛନ୍ତି । ସମାନ ଚକରେ ଏକା କିସମ ଜମି ମାଲିକ ଙ୍କୁ କ୍ଷତି ପୂରଣ ପ୍ରଦାନ ରେ ଭେଦାଭେଦ ରଖୁଛନ୍ତି । କେଉଁଠି ତିନି ହଜାର କୁ କେଉଁ ଚାଷୀକୁ ତିନି ଲକ୍ଷ ମିଳୁଛି । ଶାଗ ମାଛ ମୂଲ୍ୟ ଦେଇ ଚାଷୀଙ୍କୁ ଭୁଆଁ ବୁଲାଉଛି କମ୍ପାନୀ । କିଭଳି ଚାଷୀଙ୍କ ଅଗୋଚର ରେ ଜମି ରେ ଚିହ୍ନଟି ପଥର ପୋତା ଗଲା । କମ୍ପାନୀ କର୍ତ୍ତୃପକ୍ଷ ଙ୍କ ମନ ମାନି ବିରୁଦ୍ଧରେ ପ୍ରକଳ୍ପ ଦ୍ୱାରା ଜୀବନ ଜୀବିକା ପ୍ରଭାବିତ ଚାଷୀ ଆଗକୁ ଜୋରଦାର ପ୍ରତିବାଦ କରିବେ ବୋଲି ଜଣାପଡିଛି । ଯଶୋବନ୍ତ ନାୟକ,ପ୍ରକାଶ ରାଉତ, ବିକାଶ ସେଠୀ, ବାଦଲ ସ୍ୱାଇଁ, ସହଦେଵ ପ୍ରଧାନ, କଣ୍ଡୁରୀ ରାଉତ, କ୍ଷୀରୋଦ ବେହେରା, ଅଭିରାମ ସାହୁ ଓ କ୍ଷୀରୋଦ ବେହେରା ସମେତ ଶତାଧିକ କ୍ଷତିଗ୍ରସ୍ତ ଚାଷୀ ପ୍ରତିବାଦ ସଭାରେ ଯୋଗ ଦେଇ ନିଜ ନିଜର ମୂଲ୍ୟ ବାନ ବକ୍ତବ୍ୟ ରଖିଥିବାର ଜଣାପଡିଛି ।