ବ୍ରହ୍ମପୁର : ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଦାଣ୍ଡ ସାହିର ଖୋଜାପାଲିରେ ପୁଲିସ ଓ ଅବକାରୀ ବିଭାଗର ଚଢ଼ଉ ସମୟରେ ସ୍ୱର୍ଗତ ଉଦୟନାଥ ପଟ୍ଟନାୟକଙ୍କ ପୁଅ ରଜନୀକାନ୍ତ ପଟ୍ଟନାୟକ ଘରୁ ୮କିଲୋ ୫୯୬ ଗ୍ରାମ ସୁନା ଅଳଙ୍କାର, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କିଲୋ ୯୪ ଗ୍ରାମ ଗଂଜେଇ ଓ ୧୦କିଲୋ ଅଫିମ ଜବତ ହୋଇଛି।
ଗତକାଲି ରାତି ୧୦ଟା ୧୦ରେ ଭେଜିପୁଟ ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ ଏମ୍କେ ପ୍ରଧାନଙ୍କୁ ସୂଚନା ମିଳିଥିଲା ଯେ, ରଜନୀକାନ୍ତ ନାମରେ ଜଣେ ବ୍ୟକ୍ତି ବେଆଇନ ଭାବରେ ନିଶା କାରବାର କରୁଛନ୍ତି। ସେ ଗଂଜେଇ ଓ ଅଫିମ ବ୍ୟବସାୟ କରୁଛନ୍ତି। କନ୍ଧମାଳରୁ ବିଭିନ୍ନ ସ୍ଥାନକୁ ନିଶା ସାମଗ୍ରୀ ଯୋଗାଉଛନ୍ତି। ପୁଲିସକୁ ସୂଚନା ମିଳିଥିଲା ଯେ, ରଜନୀକାନ୍ତ ଏବେ ସ୍କୁଟି ମାଧ୍ୟମରେ ଗଂଜେଇ ଚୋରାଚାଲାଣ କରୁଛିି।
ଜଣେ ବ୍ୟକ୍ତିଙ୍କ ଠାରୁ ଏହି ସୂଚନା ମିଳିବା ପରେ ଏସ୍ଆଇ ଶ୍ରୀ ପ୍ରଧାନ ପୁଲିସ ଷ୍ଟାଫ୍ ସହିତ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ ଅବକାରୀ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଥିଲେ। ତେବେ ରଜନୀକାନ୍ତ ନାଁରେ ଏନ୍ଡିପିଏସ୍ ମାମଲା ରୁଜୁ କରାଯାଇ ତାକୁ ଗିରଫ କରାଯାଇଛି।